ଖସୁଛି ପାରଦ,ବଢୁଛି ଶୀତ : ଆହୁରି ୪ଡିଗ୍ରୀ ଖସିବ; ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରୀ ‌ରେକର୍ଡ

177

କନକ ବ୍ୟୁରୋ : ଆସନ୍ତା ୩ ଦିନରେ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଏଥିସହ ଦକ୍ଷିଣ ଓଡ଼ିଶାରେ ୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ପାରଦ ଖସିବ । ଫଳରେ ନଭେମ୍ବର ୧୦ ତାରିଖ ସୁଦ୍ଧା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଶୀତ ଅନୁଭୂତ ହେବ । ଏବେଠାରୁ କନ୍ଧମାଳ, କଳାହାଣ୍ଡି ଓ ସୋନପୁରରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବା ଆରମ୍ଭ ହୋଇଗଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ଖସିଥିବା ବେଳେ ଆଗକୁ ଆହୁରି ଖସିବ ଓ ଧୀରେଧୀରେ ସାରା ଓଡ଼ିଶା ଶୀତର କବଳିତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଥିସହ ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରୀ ‌ରେକର୍ଡ ହୋଇଛି ।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌. ଆର୍‌ ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାକି ସମସ୍ତ ଜିଲ୍ଲ‌ାରେ ପାଗ ଶୁଖିଲା ରହିବ । ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତା ୩ ଦିନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ । ଏହାପରେ ଆହୁରି କମିବାର ବି ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ଆସନ୍ତା ୩/୪ ଦିନ ଭିତରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ । ବିଶେଷକରି ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାରଦ ସ୍ତର ଆଖିଦୃଶିଆ ହ୍ରାସ ପାଇବ ଓ ଥଣ୍ଡା ପଡ଼ିବ । ଗତ ୨/୩ ଦିନ ଧରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ହ୍ରାସ ପାଇନଥିବା ବେଳେ ସ୍ୱାଭାବିକଠାରୁ ତାପମାତ୍ରା ‌ଟିକେ ଅଧିକ ରହିଥିଲା ।
ଏଣୁ ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରା ୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ହ୍ରାସ ପାଇବାର ସମ୍ଭାବନା ରହିଛି । କିନ୍ତୁ ଉତ୍ତର ଓଡ଼ିଶାରେ ଗତ ୨ ଦିନରେ ୨/୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବାରୁ ଏଠାରେ ଆଉ ୨/୩ ଡିଗ୍ରୀ ହ୍ରାସ ପାଇପାରେ । ଭୁବନେଶ୍ୱରରେ ଗତକାଲି ସର୍ବନିମ୍ନ ତାପମାତ୍ରା ୨୩.୧ ଡିଗ୍ରୀ ରେକର୍ଡ ହୋଇଥିଲା ବେଳେ ଆଜି ତାହା ୧୯.୯ ଡିଗ୍ରୀକୁ ଖସି ଆସିଛି । ‌ସେହିଭଳି କଟକର ସର୍ବନିମ୍ନ ତାପମାତ୍ରା ଗତକାଲି ୨୧.୫ ଡିଗ୍ରୀ ରେକର୍ଡ ହୋଇଥିବ‌ା ବେଳେ ଆଜି ତାହା ୧୯.୬ ଡିଗ୍ରୀକୁ ହ୍ରାସ ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି । ବୋରିଗୁମ୍ମାରେ ୭.୮ମିମି ବର୍ଷା ହୋଇଛି । ଏଥିସହ ଆଉ କିଛି କିଛି ସ୍ଥାନରେ ହାଲ୍‌କାରୁ ସ୍ୱଳ୍ପ ବର୍ଷା ହୋଇଯାଇଛି ।