ପ୍ରଚଣ୍ଡ ଖରାରେ ଜଳିବ ସାରା ଓଡିଶା ! ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରି ଟପିପାରେ: ଆସନ୍ତା ୪/୫ ଦିନ ଯାଏ କାଳବୈଶାଖୀର କୌଣସି ସମ୍ଭାବନା ନାହିଁ

Advertisment
ପ୍ରଚଣ୍ଡ ଖରାରେ ଜଳିବ ସାରା ଓଡିଶା ! ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରି ଟପିପାରେ: ଆସନ୍ତା ୪/୫ ଦିନ ଯାଏ କାଳବୈଶାଖୀର କୌଣସି ସମ୍ଭାବନା ନାହିଁ

କନକ ବ୍ୟୁରୋ: ସାରା ଓଡ଼ିଶା ଜଳିବ। ଧୀରେ ଧୀରେ ରାଜ୍ୟର ତାପମାତ୍ରା ବଢ଼ିବାରେ ଲାଗିଛି। ଆଭ୍ୟନ୍ତରୀଣ ଓଡ଼ିଶା ସହ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନ ଏବେ ସିଝୁଛି। ଆଗକୁ ତାପମାତ୍ରା ଆହୁରି ବଢ଼ିବ। ତାଳଚେରରେ ରାଜ୍ୟର ଚଳିତ ବର୍ଷର ସମସ୍ତ ରେକର୍ଡ ଭାଙ୍ଗି ଗତକାଲି ତାପମାତ୍ରା ୪୩.୫ ଡିଗ୍ରିରେ ପହଞ୍ଚିଛି। ଏଥିସହ ରାଜ୍ୟର ୬ଟି ସହର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଆଗକୁ ତାପମାତ୍ରା ଆହୁରି ବଢ଼ିବ ଓ ରାଜ୍ୟର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିବ।

ଅନ୍ୟପକ୍ଷରେ ଉପକୂଳ ଅଂଚଳର ତାପମାତ୍ରା ଆସନ୍ତା ୪ ଦିନ ପର୍ଯ୍ୟନ୍ତ କମ୍ ରହିଲେ ମଧ୍ୟ ବାୟୁର ଆର୍ଦ୍ରତା ଅଧିକ ଯୋଗୁଁ ଗରମ ଓ ଗୁଳୁଗୁଳି ଅଧିକ ଅନୁଭୂତ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ଅନୁମାନ କରାଯାଉଛି ଯେ, ଆଜିଠାରୁ ସ୍ବାଭାବିକ ଭାବେ ତାପମାତ୍ରା ବଢ଼ିବ। ଅନୁଗୁଳ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ଆଭ୍ୟନ୍ତରୀଣ ଗଞ୍ଜାମ ଓ ସମ୍ବଲପୁରରେ ଆସନ୍ତା ୨୫ ତାରିଖ ବେଳକୁ ତାପମାତ୍ରା ୪୩ ଡିଗ୍ରି ସେଲ୍ସିୟସରେ ପହଞ୍ଚିବ। କେତେକ ସ୍ଥାନର ତାପମାତ୍ରା ୪୫ ଡିଗ୍ରିରୁ ବି ଅଧିକ ହେବାର ସମ୍ଭାବନା ରହିଛି। ତେବେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେଓଗଡ଼ ଜିଲ୍ଲାରେ ୨୫ ତାରିଖ ସୁଦ୍ଧା ତାପମାତ୍ରା କ୍ରମଶଃ ବଢ଼ି ୪୨ ଡିଗ୍ରିରୁ ଅଧିକ ରହିବ। କେନ୍ଦୁଝର ଓ ମୟୂରଭଞ୍ଜରେ ୨୪ ତାରିଖଠାରୁ ତାପମାତ୍ରା ବଢ଼ିବା ଆରମ୍ଭ କରିବ। ବର୍ତ୍ତମାନ ଉପକୂଳରେ ଦକ୍ଷିଣ ପଟୁ ସାମୁଦ୍ରିକ ପବନ ବୋହୁଛି।

ଆଭ୍ୟନ୍ତରୀଣ ଓଡ଼ିଶାରେ ରାଜସ୍ଥାନ ଆଡ଼ୁ ଗରମ ପବନ ବୋହୁଛି। ଏଥି ଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଟିକେ ଅଧିକ ରହିଛି ଓ ଉପକୂଳ ଓଡ଼ିଶାର ତାପମାତ୍ରା ଅପେକ୍ଷାକୃତ କମ୍ ରହିଛି। ତେବେ ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼ୁ ଗରମ ପବନ ଉପକୂଳକୁ କ୍ରମଶଃ ମୁହାଁଇବ। ଏଥିଯୋଗୁଁ ଉପକୂଳ ଜିଲ୍ଲାଗୁଡ଼ିକରେ ଗରମ ବଢ଼ିବ। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଖୋର୍ଧାଠାରୁ ବାଲେଶ୍ବର ପର୍ଯ୍ୟନ୍ତ ଅଂଚଳର ତାପମାତ୍ରା ବିଶେଷ ବଢ଼ିବ ନାହିଁ। ତାପମାତ୍ରା ୩୭ ଡିଗ୍ରି ତଳେ ରହିବ। ତେବେ ୨୮ ତାରିଖଠାରୁ ବଢ଼ିବାର ସମ୍ଭାବନା ରହିଛି। ୨୮ ତାରିଖ ବେଳକୁ ସାରା ରାଜ୍ୟରେ ପଶ୍ଚିମା ପବନ ବୋହିବ। ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ। ଭୁବନେଶ୍ବର ସମେତ ଉପକୂଳରେ ତାପମାତ୍ରା କମ୍ ରହିଲେ ମଧ୍ୟ ବାୟୁର ଆର୍ଦ୍ରତା ଅଧିକ ଯୋଗୁଁ ଅଧିକ ଗୁଳୁଗୁଳି ସହ ଗରମ ଅନୁଭବ ହେବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୪/୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷାର କୌଣସି ସମ୍ଭାବନା ନାହିଁ। ଏଣୁ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ଏହି ସମୟରେ ତାପମାତ୍ରା ବିଶେଷ ଭାବେ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe