କନକ ବ୍ୟୁରୋ: ରାଜପଥରେ କଂଟେନର ଚାଳକଙ୍କୁ ବାନ୍ଧି ପ୍ରାୟ ୧କୋଟି ୩୦ଲକ୍ଷ ଟଙ୍କାର ସିଗାରେଟ ଲୁଟ୍ । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଂଚଳ ଦେଇଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକରେ ଆସି କଂଟେନରରୁ ଲୁଟପାଟ କରିଛନ୍ତି ଦୁର୍ବୃତ୍ତ । ଲୁଟେରାମାନେ ରାମେଶ୍ୱର ସ୍ଥିତ ଚିଙ୍ଗୁଡି କାରଖାନା ନିକଟରେ କଂଟେନର ଚାଳକକୁ ମାଡ ମାରି ନିଛାଟିଆ ସ୍ଥାନରେ ଗଛରେ ବାନ୍ଧି ଦେଇଥିଲେ । ଏହାପରେ ୬ରୁ ୭ ଲୁଟେରାମାନେ କଂଟେନରର ଥିବା ପ୍ରାୟ ୪ଶହ କାର୍ଟୁନ ସିଗାରେଟ ଲୁଟି ଟ୍ରକରେ ଫେରାର ହୋଇଯାଇଛନ୍ତି । କୌଣସି ମତେ ସେଠାରୁ ଚାଳକ ଖସିଆସି ନିରାକାର ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଆଇଟିସି କଂପାନୀ ଭୁବନେଶ୍ୱର ଶାଖାର ମ୍ୟାନେଜର ସୁଗାତ ଦେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।

publive-image

ଅଭିଯୋଗ ମୁତାବକ, କଲିକତାରୁ ଆଇଟିସି କମ୍ପାନିର ୨ କୋଟି ୧୦ ଲକ୍ଷ ଟଙ୍କାର ମୂଲ୍ୟର ୬୪୦ କାର୍ଟୁନ ସିଗାରେଟ ବୋଝେଇ କରି ଉକ୍ତ କଣ୍ଟେନର(ଏଚ୍‌ଆର୍‌-୫୫ଏଡିି-୨୪୭୫)ଟି ବିଜୟୱାଡ଼ା ଅଭିମୁଖେ ଯାଉଥିଲା। ଏହାକୁ ପିଛା କରି ଆସୁଥିବା ଏକ ଟ୍ରକ୍‌ ରାତି ପ୍ରାୟ ସାଢ଼େ ୮ଟାରେ ରାମେଶ୍ୱର ଚିଙ୍ଗୁଡ଼ି କାରଖାନା ନିକଟରେ ହଠାତ୍‌ ଅତିକ୍ରମ କରି କଣ୍ଟେନର ଆଗରେ ଅଟକାଇଥିଲା। ଫଳରେ କଣ୍ଟେନର ଚାଳକ ତଥା ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଫତେଗଡ଼ ଗ୍ରାମର ସୁଶାନ୍ତ ପ୍ରଧାନ ଗାଡ଼ିକୁ ଅଟକାଇଥିଲେ। ଏତିକିବେଳେ ଟ୍ରକ୍‌ରୁ ୬/୭ ଜଣ ଦୁର୍ବୃତ୍ତ ବାହାରି ସୁଶାନ୍ତଙ୍କୁୁ ମାର୍‌ଧର କରିବା ସହ କିଛିଦୂରକୁ ଘୋଷାଡ଼ି ନେଇ ଏକ ଗଛରେ ବାନ୍ଧି ଦେଇଥିଲେ। ଏହାପରେ ଲୁଟେରାମାନେ କଣ୍ଟେନରରୁ ୪୦୦ କାର୍ଟୁନ ସିଗାରେଟ୍‌ ସେମାନେ ଆସିଥିବା ଟ୍ରକ୍‌ରେ ଧରି ପଳାଇଥିଲେ।

publive-image

ଏହାର ୨/ ୩ ଘଣ୍ଟା ପରେ ସୁଶାନ୍ତ କୌଣସି ପ୍ରକାର ଖସି ଆସି ପ୍ରଥମେ ଜଙ୍କିିଆ ଥାନାରେ ଖବର ଦେଇଥଲେ। ମାତ୍ର ଘଟଣାଟି ନିରାକାରପୁର ଥାନା ଅଞ୍ଚଳରେ ହୋଇଥିବାରୁ ସୁଶାନ୍ତ ନିରାକାରପୁର ଥାନାରେ ଜଣାଇଥିଲେ। ପରେ ଆଇଟିସି କମ୍ପାନିର ଭୁବନେଶ୍ୱର ଶାଖା ମ୍ୟାନେଜର ସୁଗାତ ଦେ ଏ ସମ୍ପର୍କରେ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନିରାକାରପୁର ଥାନା ଆଇଆଇସି ସରୋଜ କୁମାର ଉପାଧ୍ୟାୟ ଏବଂ ବାଲୁଗାଁ ଏସ୍‌ଡିପିଓ ସୁବାସ ପଣ୍ଡା ସଦଳବଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ବେଳେ କଣ୍ଟେନରରୁ ୨୪୦ କାର୍ଟୁନ ସିଗାରେଟ୍‌ ଉଦ୍ଧାର କରିଛନ୍ତି। କଣ୍ଟେନର ଚାଳକ ସୁଶାନ୍ତଙ୍କୁ ମଧ୍ୟ ଅଟକ ରଖି ପଚରା ଉଚରା ଜାରି ରହିଛି।