ଶିକୁଳିରୁ ମୁକୁଳୁନି ଜୀବନ: ୩୦ ବର୍ଷ ହେବ ଅନ୍ଧାରରେ ଅଧା ଜୀବନ । ଗୋଟିଏ ଘରେ ରହିଛନ୍ତି, ରାତି-ଦିନ ଦେଖିନାହାନ୍ତି ରମାକାନ୍ତ

330

କନକ ବ୍ୟୁରୋ: ଝରକା ଏପାଖେ ଜୀବନ, ଝରକା ସେପାଖେ ଯନ୍ତ୍ରଣା । ଜୀବନ-ଯନ୍ତ୍ରଣା ମଝିରେ ଲୁହାର ଜଞ୍ଜିର । ଜୀବନ ଯନ୍ତ୍ରଣାକୁ ଦେଖି ଲୁହ ଗଡାଉଛି, ଯନ୍ତ୍ରଣା ଜୀବନକୁ ଚାହିଁ ଭାଗ୍ୟକୁ ନିନ୍ଦୁଛି । ଆଉ ନିଜ ଇଚ୍ଛା, ଅନିଚ୍ଛାକୁ ଅନ୍ଧାରରେ ଆହୁତି ଦେଇ ଦୀର୍ଘ ୩୦ ବର୍ଷ ହେବ ଏମିତି ଅଭିଶପ୍ତ ଜୀବନ ଜିଉଁଛନ୍ତି ଯାଜପୁରର ରମାକାନ୍ତ ବେହେରା ।

ମାଆ ଗର୍ଭରେ ଦଶ ମାସ ଅନ୍ଧାରରେ ରହି ପ୍ରଥମ ଆଲୁଅ ଦେଖିଥିବା ରମାକାନ୍ତ ହୁଏତ କେବେ ଭାବି ନଥିବେ ତାଙ୍କୁ ପୁଣି ଅନ୍ଧାରକୁ ଫେରିଯିବାକୁ ପଡିବ । ସୂର୍ଯ୍ୟ, ଚନ୍ଦ୍ର ତାଙ୍କ ପାଇଁ ସ୍ୱପ୍ନ ପାଲଟିଯିବ । ଆଉ ବାହାର ଦୁନିଆ ଏକ ପ୍ରକାର ବନ୍ଦ ହୋଇଯିବ । ଅନ୍ଧାରରେ ବସି ହୁଏତ ଖୋଲା ଆକାଶ, ମୁକ୍ତ ପବନ ଆଉ ସୁନ୍ଦର ପୃଥିବୀକୁ ଝୁରି ହେଉଥିବେ ରମାକାନ୍ତ । ହେଲେ ହଜାରେ ଇଚ୍ଛା ଥିଲେ ବି ଉଡିବା ଆଗରୁ ତାଙ୍କୁ ଭିଡି ଧରୁଛି ହାତରେ ପଡିଥିବା ବେଡି ।

ତେବେ ଦଶରଥପୁର ବ୍ଲକ ଚମ୍ପେଇମାଳ ପଞ୍ଚାୟତ ଉଦୟପୁର ଗାଁର ରମାକାନ୍ତ ଯୁକ୍ତ ୨ ପଢିବା ସମୟରେ ମାନସିକ ସନ୍ତୁଳନ ହରାଇଥିଲେ । ପରିବାରର କୌଣସି ଲୋକଙ୍କୁ ଚିହ୍ନି ପାରୁନଥିଲେ । ଆଉ ସମସ୍ତଙ୍କୁ ଆକ୍ରମଣ କରିବା ସହ ଘରର ଜିନିଷପତ୍ର ଭଙ୍ଗାରୁଜା କରୁଥିଲେ । ତେଣୁ ବାଧ୍ୟ ହୋଇ ପରିବାର ଲୋକେ ତାଙ୍କୁ ଶିକୁଳିରେ ବାନ୍ଧି ଗୋଟିଏ ଘରେ ରଖିଥିଲେ । ସେବେଠାରୁ ୩୦ ବର୍ଷ ହେବ ଶିକୁଳି ବନ୍ଧା ଜୀବନ କାଟୁଛନ୍ତି ରମାକାନ୍ତ ।

ସେପଟେ ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ରମାକାନ୍ତଙ୍କୁ ଚିକିତ୍ସା କରାଇ ନପାରି ଘରେ ପକାଇ ରଖିଛନ୍ତି ପରିବାର ଲୋକେ । ପ୍ରଶାସନକୁ ବାରମ୍ବାର ଗୋଡ ଭାଙ୍ଗି ନେହୁରା ହେବା ପରେ ବି ସାହାଯ୍ୟ ତ ଦୂରର କଥା ରମାକାନ୍ତଙ୍କୁ ଏଯାଏଁ ଭିନ୍ନକ୍ଷମ ପ୍ରମାଣପତ୍ରଟିଏ ବି ମିଳିନି । ତେବେ ବିଡିଓ ସିଡିଏମଓଙ୍କୁ ତାଙ୍କ ବାବଦରେ ଅବଗତ କରାଇବା ପରେ ବି କେହି କର୍ଣ୍ଣପାତ କରୁନଥିବା ଖୋଦ ବିଡିଓ କହିଛନ୍ତି ।

ତେବେ ୩୦ ବର୍ଷ ଅଲୋଡା ହୋଇ ପଡିଥିବା ରମାକାନ୍ତଙ୍କର କଣ ସମାଜରେ ବଞ୍ଚିବାର ଅଧିକାର ନାହିଁ ? ନା ସମସ୍ତଙ୍କ ପରି ଜୀବନ ଜିଇଁବାର ଇଚ୍ଛା ନାହିଁ ? ପୁଅକୁ ନେଇ ପରିବାର ହାତ ଟେକିଦେବା ପରେ ପୂରା ଭରସା ପ୍ରଶାସନ ଉପରେ ଥିଲା । ହେଲେ ପ୍ରଶାସନ ସବୁ ଜାଣି ବି ଅଣଦେଖା କରୁଛି ।

ଯେତେବେଳେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ, ସରକାରୀ ଅଫିସର ଓ ନେତାମନ୍ତ୍ରୀଙ୍କୁ ସାଧାରଣ ଲୋକଙ୍କ ସବୁ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଉଛନ୍ତି ଠିକ ସେତିକି ବେଳେ ଅଭିଶପ୍ତ ଜୀବନ କାଟୁଥିବା ମଣିଷ ଉପରେ ସେମାନଙ୍କ ଆଖି କେମିତି ପଡୁନି ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ?