ଦଇବ ସାଜିଛି ଦାଉ । ପରିବାରର ୫ଜଣ ସନ୍ତାନ ମାନସିକ ବିକାରଗ୍ରସ୍ତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପରିଣତ ବୟସରେ ପିଲାଙ୍କ ଅଳି ଅର୍ଦ୍ଦଳି ସହୁଛନ୍ତି ବାପା-ମା’ ।

217

କନକ ବ୍ୟୁରୋ : ଦଇବ ସାଜିଛି ଦାଉ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯେଉଁ ବୟସରେ ପିଲାମାନେ ବାପା-ମା’ଙ୍କର ଶାହାରା ପାଲଟିବା କଥା, ସେ ସମୟରେ ବାପା-ମାଆଙ୍କ ପାଇଁ ବୋଝ ପାଲଟିଛନ୍ତି । ପରିଣତ ବୟସରେ ପିଲାମାନଙ୍କର ଅଳି ଅର୍ଦ୍ଦଳି ସହୁଛନ୍ତି ବାପା-ମା’ । କାରଣ ପରିବାରର ପୁରା ୫ ଜଣ ସନ୍ତାନ ମାନସିକ ବିକାରଗ୍ରସ୍ତ ।

ଅଭିଶପ୍ତ ପାଲଟିଛି ଜୀବନ । ଶୁଖୁନି ବାପା-ମା’ଙ୍କ ଆଖିରୁ ଲୁହ । ଏହି କୁଡିଆ ଭିତରେ ରହୁଛନ୍ତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଅହମ୍ମଦପୁର ଗାଁର ଏକ ଅସହାୟ ପରିବାର । ଗୋଟିଏ ଦୁଇଟି ନୁହେଁ ପାଂଚ ପାଂଚଟି ମାନସିକ ବିକାରଗ୍ରସ୍ତ ପିଲାମାନଙ୍କୁ ଧରି ଆଶ୍ରୟ ନେଇଛନ୍ତି ଅସହାୟ ବାପା-ମାଆ । ପରିଣତ ବୟସରେ ବାପା-ମାଆଙ୍କ ମୁଣ୍ଡରୁ ବୋଝ ହାଲୁକା କରିବା ପରିବର୍ତ୍ତେ ବୋଝ ପାଲଟିଛନ୍ତି ୫ ସନ୍ତାନ । ବାପା ଭରତ ମଲ୍ଲିକ ଜମିବାଡ଼ି ବିକ୍ରୀ କରି ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିଛନ୍ତି । କିନ୍ତୁ ଦଇବର ବିଧି ଥିଲା ପୁରା ଅଲଗା । ସବୁ ପିଲା ଉଚ୍ଚ ଶିକ୍ଷିତ ହେବା ପରେ ବାପାଙ୍କ ବୋଝକୁ ହାଲୁକା କରିବା ବଦଳରେ ପାଲଟି ଯାଇଛନ୍ତି ମାନସିକ ବିକାରଗ୍ରସ୍ତ ।

୫ ପିଲାଙ୍କ ମଧ୍ୟରୁ ଜଣେ କେମିକାଲ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁ ବାପା ଭରତଙ୍କୁ ଶାହାରା ଦେବାକୁ ନାହିଁ ଶକ୍ତି କି ସାମର୍ଥ୍ୟ । ଏପରି ସ୍ଥିତିରେ ଭରତ ପିଲାମାନଙ୍କୁ ଭଲ କରିବା ପାଇଁ ସରକାରୀ ଓ ବେସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଜିଲ୍ଲାପାଳଙ୍କ ତରଫରୁ ଘର ଖଣ୍ଡିଏ ପାଇଁ କୋଡ଼ିଏ ହଜାର ଟଙ୍କା ମିଳିଥିବା ବେଳେ, ଘର କାମ ପରେ ବାକି ଟଙ୍କା ମିଳିବ । କିନ୍ତୁ ଯାହା ପାଖରେ ଖାଇବା ଓ ଔଷଧ ପାଇଁ ପଇସା ନାହିଁ ସେ ଅବା ଘର କାମ ଆରମ୍ଭ କରିବେ କେମିତି ।