ସାଲୁଜା କହିଲେ, ସତ୍ୟବାଦୀ ପାଇଁ ଟିକେଟ ଦିଆଯାଇଥିଲା, ନେଇନଥିଲେ ପ୍ରସାଦ । ସୁର କହିଲେ… । 

513

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ବଳ କଷୁଥିବା ବେଳେ କଂଗ୍ରେସର ନିଜ ଘରେ କନ୍ଦଳ ବଢିଚାଲିଛି । ପଂଚାୟତ ନିର୍ବାଚନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅନୁପସ୍ଥିତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ସୁର ଓ ସାଲୁଜା । ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରୁ ଜିଲ୍ଲାପରିଷଦ ପାଇଁ  କଂଗ୍ରେସ କୌଣସି ପ୍ରାର୍ଥୀ ନ ଦେବାକୁ ନେଇ ଏହି କନ୍ଦଳ ସୃଷ୍ଟି ହୋଇଛି ।

ପଂଚାୟତ ନିର୍ବାଚନରେ ସତ୍ୟବାଦୀରୁ ଜିଲ୍ଲାପରିଷଦ ପାଇଁ  କଂଗ୍ରେସ  କୌଣସି ପ୍ରାର୍ଥୀ ନ ଦେବାକୁ ନେଇ କନ୍ଦଳ ସୃଷ୍ଟି ହୋଇଛି । ସତ୍ୟବାଦୀରେ କଂଗ୍ରେସର ମଙ୍ଗ ଧରିଥିବା ପ୍ରସାଦ ହରିଚନ୍ଦନକୁ ନେଇ  ମୁହାଁମୁହିଁ ହୋଇଛନ୍ତି ଦୁଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂ ସାଲୁଜା । ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପିସିସି ପକ୍ଷରୁ ଟିକେଟ ଦିଆଯାଇଥିଲା ମାତ୍ର ପ୍ରସାଦ ହରିଚନ୍ଦନ ତାକୁ ନେଇନଥିଲେ । ସାଲୁଜଙ୍କ ଏପରି ମନ୍ତବ୍ୟକୁ ନେଇ ପ୍ରସାଦ ହରିଚନ୍ଦନଙ୍କ ଶ୍ୱଶୁର ତଥା କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ସାଲୁଜା ତାଙ୍କୁ ଅଂଚଳ କଥା ବୁଝନ୍ତୁ, ପିସିସି କଥା ପିସିସି ସଭାପତି କହିବେ । ଆଉ ଏହା ହିଁ ସୂଚାଉଥିଲା କଂଗ୍ରେସରେ ନେତାଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ ।

ଦିନେ ସତ୍ୟବାଦୀ କଂଗ୍ରେସର ଗଡ ଥିଲା । କିନ୍ତୁ ପଂଚାୟତ ନିର୍ବାଚନରେ  ସତ୍ୟବାଦୀ କଂଗ୍ରେସ ଶୂନ୍ୟ ହେବା  ପ୍ରସାଦ ହରିଚନ୍ଦନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ଏହାଛଡା ସତ୍ୟବାଦୀରେ ଥିବା କଂଗ୍ରେସ କର୍ମୀ ବି ନିରାଶ ହୋଇଛନ୍ତି ।  ସତ୍ୟବାଦୀ ପ୍ରସଙ୍ଗ ନେଇ ରବିବାରଦିନ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ଉପସ୍ଥିତିରେ ଆଲୋଚନା  ବି ହୋଇଛି ।  ସନ୍ତୋଷ ସିଂ ସାଲୁଜା ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଗଠିତ ପଞ୍ଚାୟତ କମିଟିରେ ସଦସ୍ୟ ଅଛନ୍ତି ।  ଯଦି  ସାଲୁଜା କଥା ସତ ହୋଇଥାଏ ତାହା ହେଲେ ବଡ ପ୍ରଶ୍ନ ହେଉଛି

-ପ୍ରସାଦ ହରିଚନ୍ଦନ  ଟିକେଟ ନେଲେ ନାହିଁ କାହିଁକି?

-ସାଲୁଜାଙ୍କ ଅଭିଯୋଗର ସତ୍ୟତା କେତେ ରହିଛି?

– କଂଗ୍ରେସରେ ପ୍ରସାଦଙ୍କ ମନ ଆଉ ନାହିଁ କି?

-ଦଳୀୟ କନ୍ଦଳ ଯୋଗୁଁ ପ୍ରସାଦ ଟିକେଟ ନେଲେ ନାହିଁ କି?

-କଂଗ୍ରେସ କଳିରେ ଲାଭ କାହାର ହେବ?