ଫାଶୀ କଥା ଶୁଣି ଜେଲରେ କେମିତି ଜିଏଁ ଦୋଷୀ ? କିଭଳି ଥାଏ ଫାଶୀ ପାଇବା ପୂର୍ବରୁ ମାନସିକ ସ୍ଥିତି ?

1,009

କନକ ବ୍ୟୁରୋ: ମୃତ୍ୟୁ ଦଣ୍ଡାଦେଶ ପାଇ ଫାଶୀକୁ ଅପେକ୍ଷା କରିଥିବା ଜଣେ ଅପରାଧୀ ପାଇଁ ଶେଷ ସପ୍ତାହ ଥାଏ ବେଶ ଗୁରୁତ୍ୱପୂର୍ଣ୍ଣ । ଅତ୍ୟଧିକ ମାନସିକ ଚାପରେ ଥିବାରୁ ତା ଉପରେ ୨୪ ଘଂଟା ନଜର ରଖିବାକୁ ପଡେ । ତେଣୁ ଅପରାଧୀ ଯେତିକି ମାନସିକ ଚାପରେ ଥାଏ, ଜେଲ କର୍ମଚାରୀ ମଧ୍ୟ ସମାନ ଧରଣର ଚାପରେ ରହିଥାନ୍ତି । ଫାଶୀ ଖୁଂଟରେ ଝୁଲିବା ପର୍ଯ୍ୟନ୍ତ ଅପରାଧୀର ସୁରକ୍ଷା, ଜେଲ କର୍ତୃପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡେ । ସିସିଟିଭି ହେଉ କିମ୍ବା ଜଗୁଆଳି ଜରିଆରେ କଏଦୀ ଉପରେ ସତର୍କ ନଜର ରଖାଯାଏ । ଯେମିତି ଶେଷ ସମୟରେ ସେ ନିଜକୁ ଶେଷ କରିଦେବା ପାଇଁ କିଛି ଚରମ ପଦକ୍ଷେପ ନେଇନପାରିବ ।

୧୯୯୪ରେ ଓଡିଶାରେ ଲକ୍ଷ୍ମଣ ନାୟକକୁ ଦିଆଯାଇଥିଲା ଫାଶୀ । ସେତେବେଳେ ବ୍ରହ୍ମପୁର ସର୍କଲ ଜେଲର ଜେଲର ଥିଲେ ଶିବ ଦାସ ଚାନ୍ଦ । ତାଙ୍କ କହିବା ଅନୁସାରେ ଶେଷ ଇଚ୍ଛାରେ ଚିକେନ ବିରିଆନି ଖାଇବାକୁ କହିଥିଲା ଲକ୍ଷ୍ମଣ ନାୟକ । ତାର ଇଚ୍ଛା ପୂରଣ କରି ବ୍ରହ୍ମପୁର ମଣ୍ଡଳ କାରାଗାରରେ ଦିଆଯାଇଥିଲା ଫାଶୀ । ହେଲେ ଏହାକୁ କାର୍ଯ୍ୟକାରୀ କରିବା ପରେ ସେଦିନ ମଧ୍ୟାହ୍ନ ଭୋଜନ କରିପାରିନଥିଲେ ତାଙ୍କ ସମେତ ଅନେକ ଜେଲ କର୍ମଚାରୀ । ଏପରିକି ସେଦିନ ଜେଲରେ କେହି କଏଦୀ ମଧ୍ୟ ମଧ୍ୟାହ୍ନ ଭୋଜନ କରିନଥିଲେ ।

ଅପରାଧୀକୁ ଫାଶୀ ଦେବାରେ ଜହ୍ଲାଦର ଥାଏ ପ୍ରମୁଖ ଭୂମିକା । କାରଣ ଜେଲରଙ୍କ ଇସାରା ପାଇବା ପରେ ସେ ହିଁ ଅପରାଧୀକୁ ମୃତ୍ୟୁ ଦେବାପାଇଁ ଫାଶୀର ଲିଭର ଟାଣିଥାଏ । ପ୍ରାୟ ୫୦ ବର୍ଷ ହେବ ଏକାଧିକ ଅପରାଧୀଙ୍କୁ ଫାଶୀ ଖୁଂଟରେ ଝୁଲାଇ ଥିବା ପବନ ଜହ୍ଲାଦଙ୍କ ଇଚ୍ଛା, ଦିଲ୍ଲୀ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ତାଙ୍କୁ ସୁଯୋଗ ମିଳୁ । କେହି ଦୋଷୀ କିମ୍ବା ନୁହେଁ ତାହା ସେ ବିଚାର କରନ୍ତି ନାହିଁ । କେବଳ ସରକାରଙ୍କ ଇଚ୍ଛାରେ ଦୋଷୀକୁ ଫାଶୀ ଖୁଂଟରେ ଝୁଲାଇ ଦେବା ତାଙ୍କ କାମ ବୋଲି କହିଛନ୍ତି ପବନ ଜହ୍ଲାଦ ।

ତେବେ ଫାଶୀ ଦେବା ପାଇଁ ଜହ୍ଲାଦଙ୍କୁ କ’ଣ ପାରିଶ୍ରମିକ ମିଳେ ? ଅପରାଧୀକୁ ଫାଶୀ ଦେବା ପାଇଁ ଜହ୍ଲାଦକୁ କେତେ ଟଙ୍କା ଦିଅନ୍ତି ସରକାର? ଏହି ପ୍ରଶ୍ନର ଉତ୍ତର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ୧୯୫୧ରୁ ବିଭିନ୍ନ ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଫାଶୀ ଦେଇଆସୁଥିବା ମିରଟର ପବନ ଜହ୍ଲାଦ କହିଛନ୍ତି ପୂର୍ବରୁ ଗୋଟିଏ ଫାଶୀ ପାଇଁ ମିଳୁଥିଲା ୧୦୦ ଟଙ୍କା । ସେତେବେଳ ସମୟରେ ଏହା ଢେର ଅଧିକ ଥିଲା । ପରେ ଏହା ବଢି ୨୦୧୩ ବେଳକୁ ହେଲା ୩ ହଜାର ଟଙ୍କା । ବର୍ତ୍ତମାନ ସମୟକୁ ଚାହିଁ ଏହି ପରିମାଣ ବହୁତ କମ୍ ଥିବାରୁ ପାଉଣା ବଢାଇବାକୁ ଜହ୍ଲାଦ ପରିବାର ଦାବି କଲେ ଆଉ ଏବେ ଗୋଟିଏ ଫାଶୀକୁ ମିଳୁଛି ୫ ହଜାର ଟଙ୍କା ।

ହତ୍ୟା ଓ ଫାଶୀ, ଦୁଇଟିଯାକରେ ଆସେ ମୃତ୍ୟୁ । ହତ୍ୟାକାଣ୍ଡରେ ମୃତ୍ୟୁ ଆସିଥାଏ ଏକ ଅଜଣା ଆଗନ୍ତୁକ ଭଳି । କିନ୍ତୁ ସେହି ହତ୍ୟାକାଣ୍ଡ ପାଇଁ ଦିଆଯାଉଥିବା ଫାଶୀରେ ମୃତ୍ୟୁ ପୂର୍ବରୁ ଜଣାଇ ଦିଆଯାଏ ମୃତ୍ୟୁର କାରଣ, ସ୍ଥାନ ଓ ସମୟ । ଅର୍ଥାତ ଅପରାଧୀକୁ ମାନସିକ ଭାବେ ବିଚଳିତ କରିଦେବା ପାଇଁ ଏହା ଯଥେଷ୍ଟ । କିନ୍ତୁ ସରକାରଙ୍କ ନିର୍ଦ୍ଦେଶରେ ଜେଲ ପାଇଁ ଫାଶୀକୁ କାର୍ଯ୍ୟକାରୀ କରୁଥିବା ଜହ୍ଲାଦକୁ ଆଦୌ ବିଚଳିତ କରେନାହିଁ ଗୋଟିଏ ଦୁର୍ଦ୍ଦାନ୍ତ ଅପରାଧୀକୁ ଝୁଲାଇ ମାରିଦେବା । ଯାହା ପବନ ଜହ୍ଲାଦଙ୍କ କଥାରୁ ସ୍ପଷ୍ଟ ହେଉଛି ।