ଲୁହା ଶିକୁଳିରେ ବନ୍ଧା ପଡିଛ ମାଆର ମମତା ମାନସିକ ବିକାରଗ୍ରସ୍ତ ଭେଣ୍ଡିଆ ପୁଅକୁ ବନ୍ଧି ରଖିଛନ୍ତି ବରଗଡର ହାରା ମୁଦୁଲି 

144

କନକ ବ୍ୟୁରୋ: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସହରା ଟିକାର ଅସହାୟ ମହିଳା ହାରା ମୁଦୁଲି । ସମ୍ପୂର୍ଣ୍ଣ ଭୂମିହୀନ, ଘର ନାହିଁ, ଦୁଇ ବର୍ଷ ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ଏବେ ପର ଘରେ ନିଜର ମାନସିକ ବିକାରଗ୍ରସ୍ତ ପୁଅକୁ ନେଇ ଆଶ୍ରୟ ନେଇଛନ୍ତି । ତେବେ ପୁଅର ଅବସ୍ଥା ଏମିତି ଯେ ତାର ହାତ ଏବଂ ଗୋଡ଼ରେ ଲୁହାର ଶିକୁଳି ଲଗାଇବାକୁ ବାଧ୍ୟ ହୋଇଛନ୍ତି । ପୁଅର ଚିକିତ୍ସା ସହାୟତା ପାଇଁ ସେ ସମସ୍ତଙ୍କୁ ନେହୁରା ହୋଇଛନ୍ତି । ତେବେ ସରକାରୀ ଯୋଜନାରେ ତାଙ୍କୁ ସାମିଲ କରି ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଭେଡେନ ବିଡ଼ିଓ ।

ଭେଣ୍ଡିଆ ପୁଅକୁ ବାନ୍ଧି ରଖିଛି ମାଆ । ଲୁହା ଜଂଜିରରେ ବନ୍ଧା ପଡିଛି ଜଣେ ଅସହାୟ ମାଆର ମମତା ଓ ବେଦନା । ପରିଣତ ବୟସରେ ପୁଅ, ମାଆ’ର ଆଶା ବାଡି ସାଜିବା କଥା, ହେଲେ ଏଠି ପୁଅର ହାତ-ଗୋଡକୁ ଶିକୁଳିରେ ବାନ୍ଧି ତା’ର ସାହାରା ପାଲଟିଛନ୍ତି ଜଣେ ବୃଦ୍ଧା ମାଆ । ବରଗଡ ଜିଲ୍ଲା ଭେଡେନ ବ୍ଲକ ସହଁରାଟିକରା ଗାଁର ହାରାବତୀ ମୁଦୁଲିଙ୍କ ଏହି ଯନ୍ତ୍ରଣାଦାୟକ କାହାଣୀ ଆପଣଙ୍କ ଆଖିରେ ଲୁହ ଆଣିଦେବ ନିଶ୍ଚୟ ।

ସ୍ୱାମୀଙ୍କ ବିୟୋଗ ପରେ ହାରାଙ୍କ ପରିବାର କହିଲେ, ସେ ଆଉ ତାଙ୍କ ପୁଅ ରିଂଟୁ । ନିଜର ଜମି ବାଡି ନଥିବାରୁ ଅନ୍ୟଜଣଙ୍କ ଜାଗାରେ କୁଡିଆ କରି ରହୁଛନ୍ତି । ଏଣେ ପୁଅ ମାନସିକ ବିକାରଗ୍ରସ୍ତ । ଏଭଳି ସ୍ଥିତିରେ କୁଆଡେ କାମ ଧନ୍ଦାଟିଏ ପାଇଁ ଯାଇ ପାରୁନାହାନ୍ତି, ସାରା ଦିନ ପୁଅର ସେବାରେ ଯାଉଛି । ଖଟିଆରେ ବନ୍ଧା ଅବସ୍ଥାରେ ପୁଅର ଦାନ୍ତଘସା, ଗାଧୁଆ-ପାଧୁଆ ସାଙ୍ଗକୁ ଖିଆପିଆ କରୁଛନ୍ତି । ବିଧବା ଭତା, ପୁଅର ଦିବ୍ୟାଙ୍ଗ ଭତା ସାଙ୍ଗକୁ ୧୦ କେଜି ବିପିଏଲ ଚାଉଳରେ ବଂଚିଛି ମାଆ-ପୁଅଙ୍କ ଜୀବନ ।

କିଛି ସହାୟତାରେ ତ ଜୀବନ ବଂଚିଛି, ହେଲେ ମୁଣ୍ଡ ଗୁଂଜିବାକୁ ଛପରଟିଏ ନାହିଁ । ରହିବା ପାଇଁ ଜମିଟିଏ ଯୋଗାଇ ଦେବା ସହ ତା ଭେଣ୍ଡିଆ ପୁଅକୁ ସରକାରୀ ବ୍ୟବସ୍ଥାରେ ଚିକିତ୍ସା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ଜଣେ ଅସହାୟ ମାଆ ।