ମୁଁ ଯଦି ପୁରୁଷ ହୋଇଥାନ୍ତି … ଜିତିବା ବାଜି ହାରିନଥାନ୍ତି । ମ୍ୟାଚ ହରାଇଦେଲା ଋତୁସ୍ରାବଜନିତ ଯନ୍ତ୍ରଣା । ପଢନ୍ତୁ ପୂରା ଖବର…

351

କନକ ବ୍ୟୁରୋ: ମୁଁ ଯଦି ପୁରୁଷ ହୋଇଥାନ୍ତି… ଖେଳ ପଡିଆରେ ଋତୁସ୍ରାବଜନିତ କଷ୍ଟ ପାଇଁ ମ୍ୟାଚ ହାରିଛନ୍ତି ଜଣେ ମହିଳା ଖେଳାଳୀ । ଫ୍ରେଞ୍ଚ ଓପନରେ ବିଶ୍ୱର ଏକନଂ ମହିଳା ଖେଳାଳୀ ଇଗା ସ୍ୱିତେକଙ୍କ ପାଖରୁ ଚୀନର ଝେଙ୍ଗ କେନବେନ ପରାସ୍ତ ହେବା ପରେ କିଛି ଏଭଳି କଥା ସାମ୍ନାକୁ ଆସିଛି ।

ଚୀନର ଏହି ଖେଳାଳୀ ହାରିବା ପରେ କହିଛନ୍ତି ମୁଁ ଯଦି ପୁରୁଷ ହୋଇଥାନ୍ତି…୧୯ ବର୍ଷୀୟ ଝେଙ୍ଗ ପ୍ରଥମ ଥର ରୋଲାଣ୍ଡ ଗ୍ୟାରୋସରେ ଖେଳୁଥିଲେ । ତାଙ୍କ ସାମ୍ନାରେ ଟପ ସିଡ୍ ସ୍ୱିତେକ ଥିଲେ । ପ୍ରଥମ ରାଉଣ୍ଡରେ ସେ ୬-୭ ସେଟରେ ବିଜୟୀ ହୋଇଥିଲେ । ତେବେ ପରବର୍ତ୍ତୀ ଦୁଇଟି ସେଟରେ ସେ ୬-୦,୬-୨ରେ ପରାସ୍ତ ହୋଇଥିଲେ । ଏହି ପରାଜୟ ସହ ସେ ଫ୍ରେଞ୍ଚ ଓପନରୁ ବାଦ ପଡିଥିଲେ । ତେବେ ମ୍ୟାଚ ବେଳେ ୭୪ତମ ସ୍ଥାନରେ ଥିବା ଝେଙ୍ଗଙ୍କ ଗୋଡରେ ଆଘାତ ଲାଗିଥିଲା । ଚିକିତ୍ସା ପାଇଁ ସେ ବ୍ରେକ ମଧ୍ୟ ନେଇଥିଲେ । ତେବେ ତାଙ୍କ ହାରିବାର ଆସଲି କାରଣ ଅନ୍ୟ କିଛି ଥିଲା । ଝେଙ୍ଗ କହିଛନ୍ତି, ଗୋଡରେ ଆଘାତ ଯୋଗୁଁ ତାଙ୍କୁ ଚିନ୍ତା ନଥିଲା, ପେଟରେ ଯନ୍ତ୍ରଣା ପରେ ତାଙ୍କ ଖେଳ ପ୍ରଭାବିତ ହୋଇଥିଲା । ଆଉ ଏହି ଯନ୍ତ୍ରଣା ହିଁ ତାଙ୍କର ପରାଜୟର କାରଣ ।

ଋତୁସ୍ରାବଜନିତ ଯନ୍ତ୍ରଣା ପାଇଁ ହାରିଗଲେ ଝେଙ୍ଗ
ମ୍ୟାଚ ପରେ ଝେଙ୍ଗ କହିଛନ୍ତି, ଋତୁସ୍ରାବଜନିତ ଯନ୍ତ୍ରଣା ତାଙ୍କ ପାଇଁ କାଳ ସାଜିଲା । ଏହା ମହିଳାଙ୍କ କଥା, ପ୍ରଥମ ଦିନ ସବୁବେଳେ କଷ୍ଟ ହୋଇଥାଏ । ମୁଁ ସେହି କଷ୍ଟ ଭିତରେ ମ୍ୟାଚ ଖେଳିବା ପାଇଁ ଯାଇଥିଲେ । ମୋତେ ପ୍ରଥମ ଦିନ ସବୁବେଳେ କଷ୍ଟ ହୋଇଥାଏ । ମୁଁ ମୋର ସ୍ୱଭାବ ବିରୋଧରେ ଯାଇପାରିବି ନାହିଁ । ମୁଁ ଭାବୁଛି ମୁଁ ଯଦି ପୁଅ ପିଲା ହୋଇଥାନ୍ତି ତେବେ ମୋତେ ଏସବୁ କଷ୍ଟ ସହିବାକୁ ପଡିନଥାନ୍ତା । ଏହା ମୋ ପାଇଁ ବହୁତ କଷ୍ଟ ।

୮୨ ମିନିଟ ପରେ ଜିତିଥିଲେ ପ୍ରଥମ ସେଟ୍
ଏହି ମ୍ୟାଚର ପ୍ରଥମ ସେଟ ୮୨ ମିନିଟ ପାଇଁ ଚାଲିଥିଲା । ଝେଙ୍ଗ ୫ଟି ସେଟ ପଏଣ୍ଟ ପାଇଥିଲେ । ଏହା ପରେ ଟାଇବ୍ରେକରରେ ୨-୫ର ବ୍ୟବଧାନରେ ସେ ବିଜୟୀ ହୋଇଥିଲେ । ବିଶ୍ୱର ଏକ ନଂ ଖେଳାଳୀଙ୍କ ସେ ମାତ ଦେଇଥିଲେ । ଏପ୍ରିଲ ୨୩ ପରେ ସ୍ୱିତେକ ପ୍ରଥମ ଥର ପାଇଁ କୌଣସି ସେଟରେ ପରାସ୍ତ ହୋଇଥିଲେ । ତେବେ ଦ୍ୱିତୀୟ ସେଟରେ ୦-୩ରେ ପଛୁଆ ହେବା ପରେ ଝେଙ୍ଗଙ୍କ ଗୋଡରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ବ୍ରେକ ନେବାକୁ ପଡିଥିଲା । ଏହି ସମସ୍ୟା ତାଙ୍କୁ ଆଉ ମ୍ୟାଚକୁ ଫେରିବାର ସୁଯୋଗ ଦେଇନଥିଲା । ଦ୍ୱିତୀୟ ଓ ତୃତୀୟ ସେଟରେ ସେ ପରାସ୍ତ ହୋଇଥିଲେ ।

ଝେଙ୍ଗ ସୁପର-୧୬ରେ ସ୍ଥାନ ପକ୍କା କରିବା ପାଇଁ ୨୦୧୮ର ଫ୍ରେଞ୍ଚ ଓପନ ବିଜେତା ସିମୋନା ହାଲେପଙ୍କୁ ପରାସ୍ତ କରିଥିଲେ । ପେଟରେ ଯନ୍ତ୍ରଣା ପରେ ଝେଙ୍ଗ ୪୬ଟି ଭୁଲ କରିଥିଲେ । କୋର୍ଟରେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଯଦି ଏହି ଋତୁସ୍ରାବଜନିତ ସମସ୍ୟା ନଥାନ୍ତା ତେବେ ଝେଙ୍ଗ ନୂଆ ଇତିହାସ ସୃଷ୍ଟି କରିପାରିଥାନ୍ତେ ନିହାତି ।