ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ : ଟ୍ରଫି ପାଇଁ ଲଢ଼େଇ କରିବେ ୧୬ଟି ଦଳ

Advertisment
ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ : ଟ୍ରଫି ପାଇଁ ଲଢ଼େଇ କରିବେ ୧୬ଟି ଦଳ

କନକ ବ୍ୟୁରୋ : ଆଜିଠୁୁ କଳିଙ୍ଗ ଷ୍ଟାଡିୟମରେର ମହାଲଢେଇ । ଜୁନିୟର ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ରହିଛି ଷ୍ଟାଡିୟମ । ଏହି ବିଶ୍ୱକପରେ ୧୬ଟି ଦେଶ ଭାଗନେଉଛନ୍ତି । ୧୬ଟି ଦଳକୁ ୪ଟି ପୁଲରେ ବିଭକ୍ତ କରାଯାଇଛି । ଛଅ ବର୍ଷ ତଳେ କନିଷ୍ଠ ବିଶ୍ୱକପ ଭାରତରେ ହୋଇଥିବା ବେଳେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ମଧ୍ୟ ଭାରତୀୟ ଦଳକୁ ମଧ୍ୟ ଫେଭରାଇଟ ଟିମ କୁହାଯାଉଛି । ଉଦଘାଟନୀ ଦିବସରେ ୫ଟି ମ୍ୟାଚ ଖେଳାଯିବ । ବିଶ୍ୱକପର ପ୍ରଥମ ମ୍ୟାଚ ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଆଜି ଭାରତ ଓ ଫ୍ରାନ୍ସ ମଧ୍ୟରେ ମୁକାବିଲା ହେବ । ତେବେ ଏହି ବିଶ୍ୱକପରେ ଦର୍ଶକଙ୍କୁ ଅନୁମତି ମିଳି ନାହିଁ । କରୋନାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯାଉଛି । ଷ୍ଟାଡିୟମକୁ ଯିବାକୁ ଦର୍ଶକଙ୍କୁ ଅନୁମତି ନାହିଁ । ଜୁନିୟର ହକି ବିଶ୍ୱକପ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ରାଜଧାନୀ ଭୁବନେଶ୍ବର ମଧ୍ୟ ଦେଶର କ୍ରୀଡ଼ା କ୍ୟାପିଟାଲ ପାଲଟି ଯାଇଥିଲା । ହେଲେ କରୋନା କାଳରେ ପୂରା ଖାଁ ଖାଁ ଲାଗୁଥିଲା କଳିଙ୍ଗ । ଏଠାରେ ନା ଥିଲେ ଖେଳାଳି, ନା ସେମାନଙ୍କ ଖେଳକୁ ମନଭରି ଉପଯୋଗ କରୁଥିବା କ୍ରୀଡ଼ା ପ୍ରଶଂସକ । ଭୁବନେଶ୍ବରରେ ଆଉ ରୁଣ୍ଡ ହେଉ ନଥିଲେ ଦେଶୀ ବିଦେଶୀ କ୍ରୀଡ଼ା ତାରକା । ଏବେ କିନ୍ତୁ ସେହି କଳା ବାଦଲ ଦୂର ହୋଇଛି । କରୋନା ପରବର୍ତ୍ତୀ ସମୟର ପ୍ରଥମ ବଡ଼ ପ୍ରତିଯୋଗିତା ଭାବେ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଆଜିଠାରୁ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଆୟୋଜିତ ହେବାକୁ ଯାଉଛି ।

ଏହି ୧୨ ଦିନିଆ ପ୍ରତିଯୋଗିତାରେ ବିଶ୍ବର ବଛାବଛା ୧୬ ଦଳ ଅଂଶଗ୍ରହଣ କରୁଛନ୍ତି । ୪୮ ମ୍ୟାଚ୍ କରୋନା କଟକଣା ଏବଂ କଠିନ ଜୈବ ବଳୟ ଭିତରେ ଅନୁଷ୍ଠିତ ହେବ । ବିଶ୍ବକପ୍ ଧାରାର ବିଡ଼ମ୍ବିତ ସଂସ୍କରଣ ଭାବେ କିନ୍ତୁ ଭୁବନେଶ୍ବର କନିଷ୍ଠ ବିଶ୍ବକପ୍ ବନ୍ଦ ଦ୍ବାର ଭିତରେ ଖେଳାଯିବ । ଅର୍ଥାତ୍ ପୂରା ପ୍ରତିଯୋଗିତା ଖାଲି ଷ୍ଟାଡିୟମ୍‌ରେ ଆୟୋଜିତ ହେବ । ତଥାପି ହକି ପାଗଳ ଓଡ଼ିଶା କ୍ରୀଡ଼ାପ୍ରେମୀ ଟେଲିଭିଜନ୍ ପରଦାରେ ଏହି ବିଶାଳ ପ୍ରତିଯୋଗିତାର ସିଧାପ୍ରସାରଣ ଦେଖିବାକୁ ପାଇବେ । ଆଶା ଏବେକାର କଠୋର ସମୟରେ ହକି ସେମାନଙ୍କ ମୁହଁକୁ ହସ ଫେରାଇ ଆଣିବ। କଳିଙ୍ଗ ଷ୍ଟାଡିୟମ୍ ମଧ୍ୟ ପୁଣି ଥରେ ଚଳଚଞ୍ଚଳ ହେବ ।

କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଲାଗି ସମଗ୍ର ଓଡ଼ିଶା ଉତ୍ସାହିତ । ଷ୍ଟାଡିୟମ୍ ଯାଇ ମ୍ୟାଚ୍ ଦେଖିବାର ସୁଯୋଗ ନଥିଲେ ମଧ୍ୟ ହକି‌ପ୍ରେମୀଙ୍କ ମଧ୍ୟରେ ଏବେ ଏହି ପ୍ରତିଯୋଗିତା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଚିର ସବୁଜ କଳିଙ୍ଗ ବୋହୁ ବେଶରେ ସଜେଇ ହୋଇଛି । ପ୍ରବେଶ ପଥରେ ଖେଳାଳିଙ୍କୁ ସ୍ବାଗତ କରୁଛନ୍ତି ନାନା ରକମର ପୁଷ୍ପର ସମ୍ଭାର । ୧୬ଟି ଯାକ ଦେଶର ପତାକା କଳିଙ୍ଗ ହକି କଂପ୍ଲେକ୍ସ ଉପରେ ସଗର୍ବେ ଉଡ଼ୁଛନ୍ତି । ଖେଳାଳିମାନେ ଘନ ଘନ ପ୍ରସ୍ତୁତି କରି ମହାଲଢ଼େଇ ପୂର୍ବରୁ ନିଜ ପ୍ରତିଭାକୁ ଆହୁରି ଶାଣିତ କରିବାରେ ଲାଗିଛନ୍ତି । ଆକର୍ଷଣର କେନ୍ଦ୍ରବିନ୍ଦୁ କିନ୍ତୁ ଅଛି ଭାରତୀୟ ଦଳ । ୬ ବର୍ଷ ତଳେ ଲକ୍ଷ୍ନୌ‌ରେ ଆୟୋଜିତ କନିଷ୍ଠ ପୁରୁଷ ବିଶ୍ବକପ୍‌ରେ ଭାରତ ବିଜେତା ‌ହୋଇଥିଲା। କଳିଙ୍ଗରେ ସେହି କମାଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।

ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଭିନ୍ନ ଗ୍ରୁପ୍‌ରେ ଥିଲେ ମଧ୍ୟ ପ୍ରତିଯୋଗିତାର କୌଣସି ପର୍ଯ୍ୟାୟରେ ଉଭୟ ମୁହାଁମୁହିଁ ହୁଅନ୍ତୁ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ବେଲଜିୟମ, ଆର୍ଜେଣ୍ଟିନା, ଚିଲି, ନେଦରଲାଣ୍ଡ, ଫ୍ରାନ୍ସ, କାନାଡା, ପୋଲାଣ୍ଡ, ସ୍ପେନ୍, ନେଦରଲାଣ୍ଡ୍ସ ଓ ଦକ୍ଷିଣ କୋରିଆ ସହ ପ୍ରତିଯୋଗିତାର ସଫଳତମ ଦଳ ଜର୍ମାନି, କେହି କାହାରିକୁ କମ ନୁହନ୍ତି । ପ୍ରଥମ ଦିନରେ ୫ ମ୍ୟାଚ୍ ଖେଳାଯିବ । ଦକ୍ଷିଣ ଆଫ୍ରିକା-ବେଲଜିୟମ ମ୍ୟାଚ୍‌ରୁ ବିଶ୍ବକପ୍ ଘଣ୍ଟି ବାଜିବ। ଭାରତ ରାତି ୮ଟାରେ ଫ୍ରାନ୍ସକୁ ଭେଟି ଅଭିଯାନ ଆରମ୍ଭ କରିବ। କେହି ନହେଲେ ମଧ୍ୟ କଳିଙ୍ଗ ଗ୍ୟାଲେରି ତା’ର ପ୍ରିୟ ଦର୍ଶକଙ୍କୁ ଝୁରିବ ।

ଭାରତୀୟ ଦଳ: ପ୍ରଶାନ୍ତ କୁମାର ଚୌହାନ, ପବନ (ଗୋଲ୍‌ରକ୍ଷକ), ସଂଜୟ (ଉପଅଧିନାୟକ), ୟଶଦୀପ ସିୱଚ, ଶର୍ଦାନନ୍ଦ ତିୱାରୀ, ସୁନୀଲ ଯୋଯୋ, ଅଭିଷେକ ଲାକ୍ରା (ରକ୍ଷଣଭାଗ), ବିବେକ ସାଗର ପ୍ରସାଦ (ଅଧିନାୟକ), ଗୁରମୁଖ ସିଂହ, ଅଙ୍କିତ ପାଲ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ବିଷ୍ଣୁକାନ୍ତ ସିଂହ (ମଧ୍ୟଭାଗ), ରାହୁଲ କୁମାର ରାଜଭର, ଅର୍ଜିତ ସିଂହ ହୁଣ୍ଡଲ, ସୁଦୀପ ଚିର୍ମାକୋ, ମନିନ୍ଦର ସିଂହ, ଉତ୍ତମ ସିଂହ, ମନ୍‌ଜିତ (ଅଗ୍ରଭାଗ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe