ପୁରୁଷ ହକି ବିଶ୍ୱକପ: ଭାରତ –ଇଂଲଣ୍ଡ ମ୍ୟାଚ ଡ୍ରରେ ଶେଷ। ୪ ପଏଣ୍ଟ ସହ ଗ୍ରୁପ ଶୀର୍ଷରେ ଇଂଲଣ୍ଡ ଦଳ।

286

କନକ ବ୍ୟୁରୋ: ଚଳିତ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର’ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଗ୍ରୁପ-ଡି’ର ହାଇଭୋଲଟେଜ୍ ମୁକାବିଲାର ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ । ଚାରୋଟି ଯାକ କ୍ୱାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଫଳରେ ମ୍ୟାଚଟି ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା । ମ୍ୟାଚ୍ ଡ୍ର’ ହେବା ଦ୍ୱାରା ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି । ମ୍ୟାଚର ପ୍ରଥମ କ୍ୱାର୍ଟରରେ ଇଂଲଣ୍ଡ ୫ଟି ଓ ଭାରତ ଗୋଟିଏ ପେନାଲ୍ଟି କର୍ଣ୍ଣର ପାଇଥିଲା । କିନ୍ତୁ ଉଭୟ ଦଳ ଗୋଟିଏ ବି ଗୋଲରେ ପରିଣତ କରିପାରିନଥିଲେ ।

ଦ୍ୱିତୀୟ କ୍ୱାର୍ଟରରେ ଇଂଲଣ୍ଡ ଦୁଇଟି ଓ ଭାରତ ତିନୋଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ବି ଗୋଲ୍ ଦେବାରେ ସଫଳ ହୋଇନଥିଲେ । ଚତୁର୍ଥ କ୍ୱାର୍ଟରର ଶେଷ ମିନିଟରେ ଇଂଲଣ୍ଡକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଭାରତ ଏହାକୁ ସଫଳତାପୂର୍ବକ ରୋକି ମ୍ୟାଚକୁ ଡ୍ର’ କରିଥିଲା । ଇଂଲଣ୍ଡ ୪ ପଏଣ୍ଟ ସହ ଗ୍ରୁପ୍ ଡି’ ଶୀର୍ଷରେ ରହିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ପୂର୍ବରୁ ଭାରତ ତା’ର ପ୍ରଥମ ମ୍ୟାଚରେ ସ୍ପେନକୁ ୨- ୦ ଗୋଲରେ ହରାଇଥିଲା । ସେହିପରି ଇଂଲଣ୍ଡ ତା’ର ପ୍ରଥମ ମୁକାବିଲାରେ ୫-୦ ଗୋଲରେ ୱେଲ୍ସକୁ ହରାଇଥିଲା । ଭାରତ ତା’ର ତୃତୀୟ ମୁକାବିଲାରେ ୱେଲ୍ସକୁ ଭେଟିବ ।