ପୁରୁଷ ହକି ବିଶ୍ୱକପ କାଉଣ୍ଟଡାଉନ । ହକି ବିଶ୍ୱକପ ସୁରକ୍ଷା ନେଇ ସଚିବାଳୟରେ ପ୍ରସ୍ତୁତି ବୈଠକ, କଡା ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡିୟମ

52

କନକ ବ୍ୟୁରୋ: ଆସନ୍ତା ନଭେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ପୁରୁଷ ହକି ବିଶ୍ୱକପ ୨୦୧୮ ନେଇ ସଚିବାଳୟରେ ପ୍ରସ୍ତୁତି ବୈଠକ । ବିଶେଷ କରି ହକି ବିଶ୍ୱକପ ପୂର୍ବରୁ କିଭଳି ସୁରକ୍ଷା ବ୍ୟବସ୍ଥା କରାଯିବ ସେନେଇ ଗୃହ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ସୂଚନା ମୁତାବକ ହକି ବିଶ୍ୱକପ ସମୟରେ ୭୦ରୁ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବେ । ଖେଳାଳୀ ରହିବାକୁଥିବା ହେଟେଲ ଠାରୁ ଆରମ୍ଭ କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ କଡା ସୁରକ୍ଷା ବଳୟରେ ରହିବ । ବିଦେଶୀ ଖେଳାଳୀଙ୍କ ସୁରକ୍ଷାକୁ କିଭଳି ବେଶ କଡାକଡି କରାଯିବ ତାହା ଉପରେ ଗୁରୁତ୍ୱ । ଏହାସହ ପାକିସ୍ତାନ ଖେଳାଳୀଙ୍କୁ ପ୍ରୋଟକଲ ଅନୁସାରେ ସୁରକ୍ଷା ଦିଆଯିବ ବୋଲି କହିଛନ୍ତି ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି ।

ସେହିପରି କ୍ରୀଡ଼ା ସଚିବ ବିଶାଲ କୁମାର ଦେବ କହିଛନ୍ତି ଯେ, ହକି ବିଶ୍ୱକପ ପାଇଁ ୧୭ଟି ସହରରେ ପ୍ରମୋସନ କରାଯିବ । ଖାସ କରି ଭୁବନେଶ୍ୱରର ୪ଟି ଜାଗାରେ ଏଲଇଡି ଲାଗିବ । ଯାହାକି କ୍ରୀଡାପ୍ରେମୀଙ୍କୁ ଖେଳ ଦେଖିବା ପାଇଁ ଅଧିକ ଆକୃଷ୍ଟ କରିବାରେ ସହାୟକ ହେବ । ବିଶ୍ୱ କ୍ରୀଡା ମାନଚିତ୍ରରେ ଏବେ କଳିଙ୍ଗ ଷ୍ଟାଡିୟମ ସ୍ଥାନ ପାଇଛି । ବିଭିନ୍ନ ଅନ୍ତର୍ଜାତୀୟ ହକି ଖେଳକୁ ସଫଳତାର ସହ ଆୟୋଜନ କରାଯିବା ପରେ ଏବେ ପୁଣିଥିରେ ଏଥିରେ ହକିର ସର୍ବଶ୍ରେଷ୍ଠ ପ୍ରତିଯୋଗିତା ପୁରୁଷ ହକି ବିଶ୍ୱକପ ୨୦୧୮ ଆୟୋଜନ କରାଯିବ ।

ଓଡିଶା ହକି ପୁରୁଶଷ ବିଶ୍ୱ କପ୍ ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ପୂର୍ବରୁ ଭାରତରେ ଏହା ୨ ଥର ଅନୁଷ୍ଠିତ ହୋଇଛି । ୧୯୮୨ରେ ବମ୍ବେ, ଓ ୨୦୧୦ ମସିହାରେ ଦିଲ୍ଲୀରେ ଏହା ଅନୁଷ୍ଠିତ ହୋଇଥିଲା । ତୃତୀୟ ଥର ପାଇଁ ଏହା ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏଥିରେ ୧୬ଟି ଦେଶ ଅଂଶ ଗ୍ରହଣ କରିବେ । ଯେଉଁଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଯାଇ ଶୃଙ୍ଖଳାର ସହ ସମାପନ କରାଯିବ ସେନେଇ ସରକାରଙ୍କ ତତ୍ପରତା ।