ଅଧାବାଟରେ ଅଟକିଗଲା ନୂଆ ସମ୍ପର୍କର ସ୍ୱପ୍ନ । ଠିକ୍ ବର୍ଷେ ତଳେ ନିର୍ବନ୍ଧ ପାଇଁ ବସରେ ଯାଉଥିବା ବେଳେ ରାସ୍ତାରେ ଝୁଲି ରହିଥିବା ବିଦ୍ୟୁତ ତାର ଲାଗି ଚାଲିଯାଇଥିଲା ୧୨ ଜୀବନ । ମନେ ପଡିଲେ ଆଜି ବି ଲୋମଟାଙ୍କୁରି ଉଠେ ।

346

କନକ ବ୍ୟୁରୋ: ଦୁର୍ଘଟଣାର ଏହା ଏପରି ଏକ ଛାତିଥରା କାହାଣୀ ଯାହା ମନେପଡିଲେ ଆଜି ବି ଲୋମଟାଙ୍କୁରି ଉଠୁଛି । ପୁଅର ନିର୍ବନ୍ଧ ପାଇଁ ହସଖୁସିରେ ବାହାରିଥିବା ଏକ ପରିବାରର ସ୍ୱପ୍ନ, ମଝି ରାସ୍ତାରେ ଛାରଖାର ହୋଇଯାଇଥିଲା । ମଝି ରାସ୍ତାରେ ମାଡିଆସିଲା ମୃତ୍ୟୁ, ଆଉ ନେଇଗଲା ୧୨ଟି ଜୀବନ । ଗଞ୍ଜାମ ଜିଲ୍ଲା ମେନ୍ଦରାଜପୁର ଠାରେ ଘଟିଥିବା ଏହି ଲୋମହର୍ଷଣକାରୀ ଭୟଙ୍କର ଦୁର୍ଘଟଣାକୁ ପୂରିଛି ୧ ବର୍ଷ । ବର୍ଷେ ସିନା ବିତିଯାଇଛି, ହେଲେ ସେହି ମର୍ମନ୍ତୁଦ ଘଟଣା ଆଜି ବି ମନରେ ରହିଯାଇଛି ।

ଆଉ ମାତ୍ର କିଛି କ୍ଷଣ ପରେ ନୂଆ ଏକ ସମ୍ପର୍କ ପାଇଁ ହୋଇଥାନ୍ତା ନିର୍ବନ୍ଧ । ଦୁଇ ପରିବାର ଭିତରେ ଗଢା ହୋଇଥାନ୍ତା ନୂଆ ଏକ ବନ୍ଧୁତ୍ୱ । ସେଥିପାଇଁ ସମସ୍ତେ ହସଖୁସିରେ ଗୋଟିଏ ବସରେ ବାହାରିଥିଲେ କନ୍ୟା ଘରକୁ । ବ୍ରହ୍ମପୁର ଡଙ୍ଗଲପାଡୁରୁ ପୁଅଘର, କନ୍ୟାଘର ଚିକରଡାକୁ ଯାତ୍ରା ଆରମ୍ଭ କରିଥିଲେ ।

ହେଲେ ହଠାତ ଅଧା ବାଟରେ ଉପରୁ ଖସିଲା ମୃତ୍ୟୁ । ପୁଅଘର ଯାଉଥିବା ସିଲକ ସିଟି ନାମକ ଏକ ଘରୋଇ ବସ୍, ରାସ୍ତାରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ପୂରା ବସରେ କରେଂଟ ଲାଗିଯାଇଥିଲା । ପୂରା ବସରେ କରେଂଟ ଏତେ ଜୋରରେ ଥିଲା ଯେ, ସେଥିରୁ ମୁକୁଳିବା କଷ୍ଟକର ହୋଇଯାଇଥିଲା । ଆଉ ରାସ୍ତା ମଝିରେ ଜଗି ବସିଥିବା ଯମ, ସମସ୍ତଙ୍କ ମୁହଁରୁ ହସ ଛଡାଇନେଲା । ବାଟ ମଝିରେ ଓହଳିଥିବା ବିଦ୍ୟୁତ ତାର ୧୨ଜଣଙ୍କର ଜୀବନ ନେଇଗଲା ।

ନିର୍ବନ୍ଧ ପାଇଁ ନେଇଯାଉଥିବା କଦଳୀ, ଥାଳିରେ ସେମିତି ଥୁଆ ହୋଇଥିଲା । ଗୋଟା ଗୋଟା ନଡିଆ ଏଣେତେଣେ ଗଡୁଥିଲା ଆଉ ସମ୍ପର୍କର ମିଠା ମୁହଁମାଡି ପଡିଥିଲା । ଦୁର୍ଘଟଣା ପରେ ବସ୍ ଭିତରର ବିକ୍ଷିପ୍ତ ଚିତ୍ର ସମସ୍ତଙ୍କ ଛାତିକୁ ଭାରି ଭାରି କରିଥିଲା । ଏହି ଘଟଣାରେ ୩୯ଜଣ ଆହତ ହୋଇଥିଲେ । ବିଦ୍ୟୁତ ସଂସ୍ପର୍ଶରେ ଆସି ଅନେକ ଦିବ୍ୟାଙ୍ଗ ବି ହୋଇଯାଇଛନ୍ତି । ଫେବୃଆରୀ ୯ । ଯେବେ ଯେବେ ଏହି ତାରିଖ ଆସିବ ଦୁର୍ଘଟଣାର ଏପରି ଲୋମଟାଙ୍କୁରା କାହାଣୀ ଆପେ ଆପେ ମନେପଡିଯିବ । ଏହା ଏମିତି ଏକ ଛାତିଥରା ଘଟଣା, ଯାହା ଆଉ କେବେ କେଉଁଠି ନଘଟୁ ।