କନକ ବ୍ୟୁରୋ : ୨୦୨୦ ମସିହା ଫେବୃଆରୀ ୯ ତାରିଖ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେନ୍ଦରାଜପୁର ଗାଁ ଛକରେ ଘଟିଥିଲା ଏକ ଛାତିଥରା ଅଘଟଣ । ଏକ ନିର୍ବନ୍ଧ ଭୋଜିରେ ଯୋଗ ଦେବା ଲାଗି ପୁଅ ଘର ଲୋକଙ୍କୁ ନେଇ ଯାଉଥିବା ସିଲକ ସିଟି ନାମକ ଏକ ଘରୋଇ ବସ ୧୧ କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆଶି ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୩୯ ଜଣ ଆହତ ହୋଇଥିଲେ । ଆଉ ଏଭଳି ଏକ ହୃଦୟଥରା ଘଟଣାକୁ ଆଜି ୧ ବର୍ଷ ପୂରିଛି । ଦୁର୍ଘଟଣାରେ ୧୧ ଜଣ ଗୁରୁତରଙ୍କ ମଧ୍ୟରୁ ୬ଜଣ ପାଲିଟିଗଲେ ଭିନ୍ନକ୍ଷମ ବା ପଙ୍ଗୁ ।
ବର୍ଷେ ତଳେ, ଘଟିଥିବା ଦୁର୍ଘଟଣାରେ ବଦଳି ଯାଇଛି ଜୀବନର ମୋଡ । ୧୫ ବର୍ଷ ତଳୁ ବାପ ଛେଉଣ୍ଡ ହୋଇଥିବା ଦୁଇ ଝିଅଙ୍କ ମୁଣ୍ଡ ଉପରୁ ହଟିଯାଇଛି ମାଆର ପଣତ । ଗତ ବର୍ଷ ଗଂଜାମ ଗୋଳନ୍ଥରା ଥାନା ଅନ୍ତର୍ଗତ ମେନ୍ଦରାଜପୁର ଛକରେ ଘଟିଥିବା ବସ୍ ଟ୍ରାଜେଡିରେ ପ୍ରାଣ ହରାଇଥିଲେ ୧୨ ଜଣ । ମୃତକଙ୍କ ମଧ୍ୟରେ ଥିଲେ ଏଇ ଦୁଇ ଭଉଣୀଙ୍କ ମାଆ ଇ.ରାମ୍ମା । ମାଆଙ୍କୁ ହରାଇ ଭାଙ୍ଗି ପଡିଥିବା ଦୁଇ ଝିଅଙ୍କ ସାହାରା ଏବେ ୮୦ ବର୍ଷୀୟ ବୁଢୀ ମାଆ ।
ସେଦିନର ବସ୍ ଦୁର୍ଘଟଣା କେବଳ ଏମାନଙ୍କ ମାଆଙ୍କ ଜୀବନ ନେଇଛି ତା ନୁହେଁ ଅନେକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଅନେକ ଦିବ୍ୟାଙ୍ଗ ହୋଇଯାଇଛନ୍ତି । ଘଟଣାରେ ୩୯ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ଦୀର୍ଘ ୩ ମାସର ଚିକିତ୍ସା ପରେ ୬ ଜଣ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ଡଙ୍କଲପାଡ ଗାଁର ବି.ଗୋପାଳଙ୍କ ସ୍ତ୍ରୀ ବି. ଶାରଦ ଏହି ଦୁର୍ଘଟଣାରେ ଦୁଇଟି ଯାକ ଗୋଡ ହରାଇଛନ୍ତି । ସେହିଭଳି ବି. ଦାମୋଦରଙ୍କ ପୁଅ ବି. ପ୍ରସାଦଙ୍କ ଶରୀରର ବିଭିନ୍ନ ଅଙ୍ଗ ପୋଡିଯାଇଛି ।
ଡଙ୍କଲପାଡ ଗାଁର ଜଣେ ଯୁବକଙ୍କ ନିର୍ବନ୍ଧ ପାଇଁ ବସ ଯୋଗେ ବାହାରିଥିଲେ ସଂପର୍କୀୟ ଓ ଗ୍ରାମବାସୀ । ଗାଁ ଠାରୁ ମାତ୍ର ୨ କିଲୋମିଟର ଯିବା ପରେ ମେନ୍ଦରାଜପୁର ଠାରେ ରାସ୍ତାରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟିଥିଲା ବସ୍ ଦୁର୍ଘଟଣା । ପ୍ରଶାସନ ପକ୍ଷରୁ ମୃତକଙ୍କୁ ୪ ଲକ୍ଷ ଟଙ୍କା ଓ ଆହତଙ୍କୁ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ହେଲେ ସବୁ ଦିନ ପାଇଁ ଦିବ୍ୟାଙ୍ଗ ପାଲଟିଯାଇଥିବା ବ୍ୟକ୍ତିଙ୍କ ଜୀବନ ଜୀବିକା ପାଇଁ କୌଣସି ସୁବିଧା ସହଯୋଗ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି ।
Follow Us