କଳିଙ୍ଗରେ କମାଲ କଲା ଭାରତ । ଅଲିମ୍ପିକ ହକି କ୍ୱାଲିଫାୟରରେ ଉଭୟ ମହିଳା ଓ ପୁରୁଷ ଦଳ ବିଜୟୀ, ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ ।

250

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ଦିନ ମ୍ୟାଚରେ ଉଭୟ ଭାରତୀୟ ମହିଳା ଏବଂ ପୁରୁଷ ଟିମ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ ଫ୍ଲଡ ଲାଇଟର ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ହକି ଟିମ୍ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରି ଅଲିମ୍ପିକ ପାଇଁ ଗୋଟିଏ ପାଦ ଆଗକୁ ବଢିଛି । ଓଡିଆ ଝିଅ ଲିଲିମା ମିଂଜ ଫିଲ୍ଡ ଗୋଲ ମାଧ୍ୟମରେ ପ୍ରଥମ ଗୋଲ ଦେଇଥିବା ବେଳେ, ଦଳର ଗୁରଜିତ କୌର ପେନାଲଟି କର୍ଣ୍ଣର ଜରିଆରେ ଦୁଇଟି ଗୋଲ ଦେଇଥିଲେ । ସେହିଭଳି ଶର୍ମିଲା ଦେବୀ ଗୋଟିଏ ଫିଲ୍ଡଗୋଲ ଏବଂ ରାଣୀ ରାମପାଲ ଅନ୍ୟ ଏକ ଫିଲ୍ଡ ଗୋଲ ଦେଇଥିଲେ । ତେବେ ଆମେରିକାର ଇରିନ ମାଟସନ ପେନାଲଟି ଷ୍ଟ୍ରୋକ ମାଧ୍ୟମରେ ଭାରତ ବିପକ୍ଷରେ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲେ ।

ସେହିପରି ଅନ୍ୟ ଏକ ମ୍ୟାଚ ବିଶ୍ୱମାନ୍ୟତାର ପଂଚମ ସ୍ଥାନରେ ଥିବା ଭାରତୀୟ ପୁରୁଷ ଦଳ ଏବଂ ରୁଷିଆ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ଭାରତ ୪-୨ ଗୋଲରେ ରୁଷିଆକୁ ପରାସ୍ତ କରିଛି । ଦଳର ମନଦୀପ ସିଂ ଫିଲ୍ଡ ଗୋଲ ଜରିଆରେ ସର୍ବାଧିକ ୨ଟି ଗୋଲ ଦେଇଥିବା ବେଳେ ହରମନପ୍ରୀତ ସିଂ ଗୋଟିଏ ଏବଂ ସୁନିଲ ସୋମାରପେଟ୍ ଗୋଟିଏ ଗୋଲ ଦେଇଥିଲେ । ତେବେ ରୁଷିଆର ସିମେନ ମାଟକୋଭାସ୍ମି ଏବଂ ଆଣ୍ଡ୍ରେ କୁରେଭ ଫିଲ୍ଡ ଗୋଲ ମାଧ୍ୟମରେ ଦୁଇଟି ଗୋଲ ଦେବାକୁ ସକ୍ଷମ ହୋଇଥିଲେ । ଆଜି ଉଭୟ ପୁରୁଷ ଓ ମହିଳା ଦଳଙ୍କ ଦ୍ୱିତୀୟ ମ୍ୟାଚ ଅନୁଷ୍ଠିତ ହେବ ।