ମାଟିରେ ମିଶିବ ଇଂଜେର ଅମଳର ସ୍ମୃତି । ଭଙ୍ଗା ଯିବ ବ୍ରହ୍ମପୁର ଓକିଲ ସଂଘର ପୁରୁଣା କୋଠା

100

କନକ ବ୍ୟୁରୋ : ବ୍ରହ୍ମପୁର ସହରର ମଧ୍ୟ ଭାଗରେ ରହିଛି ଗଞ୍ଜାମ ଜିଲ୍ଲା ଦୌରାଜଜଙ୍କ ଅଦାଲତ । ଅଦାଲତ ସାମ୍ନାରେ ଥିବା ଗଞ୍ଜାମ ଓକିଲ ସଂଘର ବହୁ ପୁରାତନ କୋଠାଟି ମାଟିରେ ମିଶିିବାକୁ ଯାଉଛି । କୋଠା ଭାଙ୍ଗିବା ପୂର୍ବରୁ ସମସ୍ତ ଆସବାବ ପତ୍ର ଓ ଆବଶ୍ୟକିୟୀ ଦସ୍ତାବିଜ୍ ସ୍ଥାନ୍ତାନ୍ତରିତ କରିବାକୁ ସଂଘକୁ ଲିଖିତ ଭାବେ ଜଣାଇ ଦେଇଛନ୍ତି ମାନ୍ୟବର ଜିଲ୍ଲା ଦୌରାଜଜ୍ଙ୍କ କାର୍ଯ୍ୟାଳୟ । ପୁରୁଣା କୋଠାକୁ ଭାଙ୍ଗି ସେହି ସ୍ଥାନରେ ୫ ମହଲା ବିଶିଷ୍ଠ କୋଠାରେ ମଡେଲ ଜୁଡିସିଆଲ କମ୍ପେକ୍ସ ନିର୍ମାଣ ହେବ । ଭୂ-ତଳ ପାର୍କିଂ ସହ ୧୦ହଜାର ବର୍ଗଫୁଟ ପରିମିତ ଅଂଚଳରେ କୋଠା ନିର୍ମାଣ ପାଇଁ ୨୦କୋଟି ବ୍ୟୟ କରାଯିବ । ଲିଫ୍ଟ ସହ ଲାଇବ୍ରେରୀ, ଓକିଲ ସଂଘ କାର୍ଯ୍ୟାଳୟ, ଡିସ୍ପେନ୍ସରୀ ଓ ଦୁଇଟି ଅତ୍ୟାଧୁନିକ କନଫରେନ୍ସ ହଲ ରହିବ । ମୋଟ ୩ଟି କୋର୍ଟ ଗୋଟିଏ ସ୍ଥାନରେ ସ୍ଥାପନ ନେଇ ପ୍ରସ୍ତାବ ରହିଥିବା ସୂଚନା ମିଳିଛି ।

ଇଂରେଜ ଅମଳର ଏହି ଅଦାଲତରେ ସମସ୍ତ ମାମଲାର ଫଇସଲା କରୁଥିଲେ ଗୋରା ସରକାର । ୧୮୪୪ ମସିହାରେ ଗଂଜାମ ଓକିଲ ସଂଘ ଗଠନ ହୋଇଥିଲା । ସେତେବେଳେ ଓକିଲଙ୍କ ସୁବିଧା ପାଇଁ ତିଆରି ହୋଇଥିବା କୋଠଟି ଭାଙ୍ଗିବା ନେଇ ଚିଠି ଆସିଛି । ସଂଘ କାର୍ଯ୍ୟାଳୟ ଓ ସିଏସ୍ଆଇ କାର୍ଯ୍ୟାଳୟ ପାଇଁ କୋର୍ଟ ପରିସରରେ ବିକଳ୍ପ ବ୍ୟବସ୍ଥା କରାଯାଇଛି । ନୂତନ ପ୍ରକଳ୍ପର କାର୍ଯ୍ୟାରମ୍ଭ ଓ ପ୍ରତିଷ୍ଠା ନେଇ କିଛି ନିର୍ଦ୍ଦାରିତ ସମୟର ସୂଚନା ନାହିଁ । ତେବେ ସ୍ଥାୟୀ ରୋଜଗାର ନଥିବା ଓକିଲଙ୍କ ଚାମ୍ବର ପାଇଁ କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସଂଘର ସଦସ୍ୟ ।

୧୭୯ବର୍ଷର ଗଞ୍ଜାମ ଓକିଲ ସଂଘରେ ରହିଛନ୍ତି ୧୫ଶହରୁ ଅଧିକ ଆଇନଜୀବୀ । ଏକ ଚତୁର୍ଥାଂଶ ଓକିଲଙ୍କୁ ଛାଡି ଦେଲେ ଅନ୍ୟ ସଦସ୍ୟଙ୍କ ଆର୍ଥିକ ସ୍ଥିତି ସ୍ୱଛଳ ନୁହେଁ । ତେବେ ବିକାଶ ମୁଳକ କାର୍ଯ୍ୟକୁ ସର୍ବସମ୍ମତି କ୍ରମେ ସଂଘ ସ୍ୱାଗତ କରିଥିଲେ ହେଁ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ଆଇନଜୀବୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛି ସଂଘ ।