କନକ ବ୍ୟୁରୋ : ସ୍ରଷ୍ଟା ନାହିଁ, ସୃଷ୍ଟି ଅଛି । ଆଉ ସେହି ନିର୍ଜୀବ ସୃଷ୍ଟି କହୁଛି, ସ୍ରଷ୍ଟାଙ୍କ ଅମର କାହାଣୀ । ଦ୍ୱିତୀୟ କୋଣାର୍କର ସ୍ୱପ୍ନ ସିନା ଅଧୁରା ରହିଗଲା, କିନ୍ତୁ ଓଡ଼ିଶାର କୋଣ ଅନୁକୋଣରେ ରଘୁନାଥ ମହାପାତ୍ର ଛାଡ଼ି ଯାଇଥିବା ସ୍ମୃତି, ଆଜି ବି ସେମିତି ଛିଡ଼ା ହୋଇଛି ।

Advertisment

ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା କୋଣାର୍କ ଘୋଡ଼ା, କେବଳ ଓଡ଼ିଶାର ବୀରତ୍ୱର କାହାଣୀ କହୁନି, ବରଂ ଓଡ଼ିଶାର ଶିଳ୍ପୀ କେତେ ନିଖୁଣ କୃତି ତିଆରି କରିପାରନ୍ତି, ତାର ପ୍ରମାଣ ଦେଉଛି । ରାଜଧାନୀରେ ଛିଡା ହୋଇଥିବା ୧୮ ଫୁଟ ଲମ୍ବା ଘୋଡ଼ାକୁ ତିଆରି କରିଥିଲେ ରଘୁନାଥ ମହାପାତ୍ର ।

ଓଡ଼ିଶାର ଐତିହ୍ୟବହନ କରୁଥିବା ପୁରୁଣା ରାଜଧାନୀ କଟକ ସହରରେ ବି ରହିଛି, ରଘୁନାଥ ମହପାତ୍ରଙ୍କ କାରୁକାର୍ଯ୍ୟ ଭରା କୃତି । କଟକ ବାରବାଟୀ ଷ୍ଟାଡିୟମରେ ୧୨ ଫୁଟର କୋଣାର୍କ ଘୋଡ଼ା, ଆଜି ବି ସେମିତି ଠିଆ ହୋଇଛି, ଯେମିତି ରଘୁନାଥ ମହାପାତ୍ର ଠିଆ କରିଥିଲେ ।

କେବଳ ସେତିକି ନୁହେଁ ଗଂଜାମର ତାରାତାରିଣୀ ମନ୍ଦିର, ବାଙ୍ଗାଲୋରରେ ବିଶ୍ୱରୁପା ବିଷ୍ଣୁ ମୁର୍ତ୍ତି, ପାରାଦୀପର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ବିମାନବନ୍ଦରର କୋଣାର୍କ ଚକ୍ର ଭଳି ଅଗଣିତ କୃତି ଛାଡ଼ି ଯାଇଛନ୍ତି ରଘୁନାଥ ମହାପାତ୍ର । ତାଙ୍କର ଏହି ସାଧନା ପାଇଁ ରାଜ୍ୟ, ଦେଶ ଓ ବିଦେଶରୁ ଅନେକ ଥର ସମ୍ମାନିତ ହୋଇଥିଲେ ରଘୁନାଥ ମହାପାତ୍ର ।