ବିରିବଡ଼ିରୁ ଭଲ ରୋଜଗାର । ପାଣି କଖାରୁ ଓ ବିରିରେ ବଡ଼ି ପ୍ରସ୍ତୁତ କରୁଛନ୍ତି ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା

103

କନକ ବ୍ୟୁରୋ: କଥାରେ ଅଛି ଦୃଢ଼ ଇଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଏହି ଉପାୟକୁ ସଦୁପଯୋଗ କରିପାରିଲେ ସଫଳତା ନିଶ୍ଚିତ ମିଳିଥାଏ । ଏପରି ଏକ ସଫଳତାର ଉଦାହରଣ ପାଲଟିଛନ୍ତି କାଲିମେଳା ବ୍ଳକ ଅନ୍ତର୍ଗତ ଏମଭି-୬୮ ଗ୍ରାମରେ ଥିବା ବିଜୟ ଦୁର୍ଗା ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ । ପାରମ୍ପରିକ ପଦ୍ଧତିରେ ସ୍ୱାଦିଷ୍ଟ ବିରି ବଡ଼ି ତିଆରି କରି ଦି ପଇସା ରୋଜଗାର କରିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଏହି ମହିଳାମାନେ ।

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳର କାଲିମେଳା ବ୍ଳକର ଏମଭି-୬୮ ଗାଁ । ଗାଁର କିଛି ମହିଳା ଏକାଠି ହୋଇ ୨୦୦୯ରୁ ଗଠନ କରିଛନ୍ତି ବିଜୟଦୁର୍ଗା ସ୍ୱଂୟ ସହାୟକ ଗୋଷ୍ଠୀ । ମିଶନଶକ୍ତି ସହାୟତାରେ ବ୍ୟାଙ୍କରୁ ୧ଲକ୍ଷ ଟଙ୍କା ଋଣ ନେଇ ସ୍ୱାଦିଷ୍ଟ ବିରିବଡ଼ି ତିଆରି କରୁଛନ୍ତି ଏହି ଗୋଷ୍ଠୀର ସଦସ୍ୟା । ୧୦ ଟଙ୍କିଆ ଓ ଓ ୨୦ ଟଙ୍କିଆ ପ୍ୟାକେଟ୍ କରି ବଜାରରେ ବିକ୍ରି କରନ୍ତି ଏହି ମହିଳା ମାନେ ।

ସବୁଠାରୁ ବଡ଼କଥା ହେଲା ଏହି ବିରି ବଡ଼ିକୁ ପାରମ୍ପରିକ ପଦ୍ଧତିରେ ଚକିରେ ପେଶି ହାତରେ ବିରିବଡ଼ି ତିଆର କରୁଛନ୍ତି । ଏଥିପାଇଁ ବଜାରରୁ ବରିଡ଼ାଲି, ଚାଉଳ, ମସଲା, ରାଶି କିଣି ଥାଆନ୍ତି । ଏହା ସହ ବିରିବଡ଼ିରେ ପାଣି କଖାରୁ ମିଶାଇ ବଡ଼ି ତିଆରି କରନ୍ତି । ଏଥିପାଇଁ ମହିଳା ମାନେ ଘର କାମ ସାରିବା ପରେ ଏକାଠି ହୁଅନ୍ତି । ବିରିଡାଲି ଓ ଚାଉଳକୁ ପାଣିରେ ଭିଜାଇ ତାକୁ ଚକିରେ ପେଶନ୍ତି । ଏହା ପରେ ବଡ଼ି ପ୍ରସ୍ତୁତ କରି ଖରାରେ ଶୁଖାନ୍ତି ।

ବିଶେଷକରି ସାଧା ବଡ଼ି, ମସଲା ବଡ଼ି, ରାଶି ବଡ଼ି ଓ ଫୁଲ ବଡ଼ି ତିଆରି କରୁଛନ୍ତି ମହିଳା । ଖରାରେ ବଡ଼ି ଶୁଖି ଗଲାପରେ ତାକୁ ପ୍ୟାକେଟ କରି ବଜାରରେ ବିକ୍ରି କରନ୍ତି । ଏଥିପାଇଁ ମହିଳାଙ୍କୁ ଦିନକୁ ୨ରୁ ୩ ଘଣ୍ଟା ସମୟ ଦେବାକୁ ପଡ଼ିଥାଏ । ଏହି ବିରି ବଡ଼ିରୁ ଯେତିକି ଲାଭ ମିଳିଥାଏ ସେଥିରେ ସେମାନେ ଘର ଚଳିବା ସହିତ ଅନ୍ୟକାମ କରିଥାନ୍ତି ବୋଲି କହିଛନ୍ତି ଗୋଷ୍ଠୀର ସଦସ୍ୟା ।