କନକ ବ୍ୟୁରୋ: ଟ୍ରମ୍ପ ଯୁଗ ସରିବ, ଜୀବନ ସାଥୀ ବି ଦୂରେଇ ଯିବ । ଟ୍ରମ୍ପ ହ୍ୱାଇଟ ହାଉସ ଛାଡୁଛାଡୁ ଛାଡପତ୍ର ଦେବେ ମେଲାନିଆ । ଡୋନାଲ୍ଟ ଟ୍ରମ୍ପଙ୍କୁ ଟା ଟା କରି ଡିଭୋର୍ସ ଦେବେ ପତ୍ନୀ ମେଲାନିଆ । ପନ୍ଦର ବର୍ଷର ‘ଟ୍ରାନଜାକ୍ସନାଲ୍ ମ୍ୟାରେଜ୍’ ବା ‘ଆବଶ୍ୟକତା ପୂରଣ ବିବାହ’ର ପରିସମାପ୍ତି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଯୋଜନା କରୁଛନ୍ତି। ସେଥିପାଇଁ ସେ ଟ୍ରମ୍ପଙ୍କ ହ୍ବାଇଟ୍ ହାଉସ୍ ଛାଡ଼ିବା ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ବୋଲି ମେଲାନିଆଙ୍କର ଜଣେ ପୂର୍ବତନ ସହଯୋଗୀ ଦାବି କରିଛନ୍ତି।
ହ୍ବାଇଟ୍ ହାଉସ୍ର ଏହି ପୂର୍ବତନ ସହଯୋଗୀ ଜଣକ କହିଛନ୍ତି ଯେ, ଦମ୍ପତିଙ୍କର ୧୫ ବର୍ଷିଆ ବିବାହର ପରିସମାପ୍ତି ଘଟିଛି। ଟ୍ରମ୍ପ୍ ହ୍ବାଇଟ୍ ହାଉସରୁ ବିଦାୟ ନେବା କ୍ଷଣି ସେ ଛାଡ଼ପତ୍ର ଦେବେ ବୋଲି ଅପେକ୍ଷା କରିଛନ୍ତି। ‘ହ୍ବାଇଟ୍ ହାଉସ୍ ଅଫିସ୍ ଅଫ୍ ପବ୍ଲିକ୍ ଲିଆଇସନ୍’ର ପୂର୍ବତନ ‘କମ୍ୟୁନିକେସନ୍’ ନିର୍ଦେଶକ ଓମାରୋସା ମ୍ୟାନିଗଲଟ୍ ନିଉମ୍ୟାନ୍ କହିଛନ୍ତି, ଟ୍ରମ୍ପ୍ କ୍ଷମତାରେ ଥିବା ବେଳେ ମେଲାନିଆ ଛାଡ଼ପତ୍ର ନ ଦେବାର ବି କାରଣ ଅଛି। କ୍ଷମତାରେ ଥିବା ବେଳେ ମେଲାନିଆ ତାଙ୍କୁ ଛାଡ଼ି ଚାଲିଯିବା ଭଳି ଚରମ ଅପମାନଜନକ ପଦକ୍ଷେପ ନେଲେ ଟ୍ରମ୍ପ୍ ତାଙ୍କୁ ଦଣ୍ଡ ଦେବାର ଉପାୟ ପାଇଯିବେ। ଟ୍ରମ୍ପଙ୍କ ସହ ସର୍ବସାଧାରଣରେ କଳହ ହେବା କାରଣରୁ ୨୦୧୭ ଡିସେମ୍ବରରେ ନିଉମ୍ୟାନ୍ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେଇଥିଲେ।
ମେଲାନିଆଙ୍କର ଜଣେ ବାନ୍ଧବୀ କହିଛନ୍ତି ଯେ, ୨୦୧୬ରେ ଟ୍ରମ୍ପ୍ ନିର୍ବାଚନ ଜିତିବାରୁ ମେଲାନିଆ କାନ୍ଦି ପକାଇଥିଲେ। ସେ ଜିତିବେ ବୋଲି ମେଲାନିଆ କଦାପି ଆଶା କରି ନ ଥିଲେ। ସେଥିପାଇଁ ସେ ଦୀର୍ଘ ପାଞ୍ଚ ମାସ ପରେ ଯାଇ ନ୍ୟୁୟର୍କରୁ ୱାସିଂଟନ୍ ଯାଇଥିଲେ। ସେମାନଙ୍କ ପୁଅ ବ୍ୟାରୋନର ସ୍କୁଲ୍ ପଢ଼ା ଚାଲିଛି ବୋଲି ବାହାନା କରିଥିଲେ।
ଆମେରିକୀୟ ଫେସନ୍ ଏବଂ ମନୋରଞ୍ଜନ କାର୍ଯ୍ୟନିର୍ବାହୀ ତଥା ମେଲାନିଆଙ୍କର ପୂର୍ବତନ ବରିଷ୍ଠ ପରାମର୍ଶଦାତା ଷ୍ଟେଫନି ୱଲକୋଫ୍ କହିଛନ୍ତି ଯେ, ଟ୍ରମ୍ପ୍ ନିଜ ସମ୍ପତ୍ତିରୁ ବ୍ୟାରୋନକୁ ସମାନ ବାଣ୍ଟ ଦେବା ଲାଗି ବିବାହ ପରେ ମେଲାନିଆ ତାଙ୍କ ସହ ରାଜିନାମା କରିଥିଲେ। ହ୍ବାଇଟ୍ ହାଉସରେ ଟ୍ରମ୍ପ୍ ଦମ୍ପତିଙ୍କର ପୃଥକ୍ ଶୟନକକ୍ଷ ଅଛି ଏବଂ ସେମାନଙ୍କର ‘ଆବଶ୍ୟକତା ପୂରଣ ବିବାହ’ ହୋଇଥିଲା।
ଅନେକ ଗୁଜବ ଓ ସର୍ବସାଧାରଣରେ ତିକ୍ତ ପରିସ୍ଥିତି ସତ୍ତ୍ବେ ମେଲାନିଆ ଦାବି କରନ୍ତି ତାଙ୍କର ସ୍ବାମୀଙ୍କ ସହ ସମ୍ପର୍କ ଖୁବ୍ ନିବିଡ଼। ଡୋନାଲ୍ ଟ୍ରମ୍ପ୍ ମଧ୍ୟ ଦୃଢ଼ୋକ୍ତି କରନ୍ତି, ସେମାନେ କେବେ କଳି କରନ୍ତି ନାହିଁ। କିନ୍ତୁ ହ୍ୱାଇଟ ହାଉସ ଛାଡୁ ଛାଡୁ ଡୋନାଲ୍ଡଙ୍କୁ ଡିଭୋର୍ସ ଦେଇପାରନ୍ତି ମେଲାନିଆ