ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଛାଡପତ୍ର ଦେଇପାରନ୍ତି ପତ୍ନୀ ମେଲାନିଆ : ହ୍ୱାଇଟ ହାଉସ ଛାଡିବା ମାତ୍ରେ ବିବାହ ବିଚ୍ଛେଦ ଆଶଙ୍କା

ପ୍ରଘଟ କଲେ ମେଲାନିଆଙ୍କ ପୂର୍ବତନ ସହଯୋଗୀ

4,022

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ ହାରିଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ହେଲେ ଜୋ ବାଇଡେନଙ୍କ ବିଜୟ ପରେ ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣି ଫଳାଫଳକୁ ସ୍ୱିକାର କରିବାକୁ ରାଜି ନୁହନ୍ତି ଟ୍ରମ୍ପ । ଏହାରି ଭିତରେ ବିଦେଶୀ ଗଣମାଧ୍ୟମ ଡେଲି ମେଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଟ୍ରମ୍ପ କେବଳ ନିର୍ବାଚନ ହାରିନାହାନ୍ତି ବରଂ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ମଧ୍ୟ ହରାଇ ପାରନ୍ତି । ମେଲାନିଆଙ୍କ ପୂର୍ବତନ ସହଯୋଗୀ ଷ୍ଟିଫାନୀ ୱାକଅଫ କହିଛନ୍ତି ହ୍ୱାଇଟ ହାଉସରୁ ବାହାରିବା ମାତ୍ରେ ମେଲାନିଆ, ଡୋନାଲ୍ଡ ଟ୍ରମ୍ପଙ୍କୁ ଛାଡପତ୍ର ଦେବେ । ଏପରିକି ହ୍ୱାଇଟ ହାଉସରେ ଉଭୟଙ୍କ ପୃଥକ ପୃଥକ ବେଡରୁମ ଥିବା ମଧ୍ୟ ଏହି ପୂର୍ବ ସହଯୋଗୀ ଦାବି କରିଛନ୍ତି ।

ତାଙ୍କର ଆଉ ଜଣେ ପୂର୍ବତନ ସହଯୋଗୀଙ୍କ କହିବା ଅନୁଯାୟୀ, ୨୦୧୬ରେ ଯେତେବେଳେ ଟ୍ରମ୍ପ ବିଜୟୀ ହୋଇଥିଲେ ସେହି ସମୟରେ କାନ୍ଦି ପକାଇଥିଲେ ମେଲାନିଆ କାରଣ ସେ ଭାବିନଥିଲେ ଯେ ଟ୍ରମ୍ପ ବିଜୟୀ ହେବେ । ଏବେ ଏହି ୧୫ବର୍ଷର ବିବାହ ଶେଷ ହୋଇଯାଇଛି । ଏପରିକି ମେଲାନିଆ ପ୍ରତିଟି ମୁହୁର୍ତକୁ ଗଣୁଛନ୍ତି କେତେବେଳେ ସେ ହ୍ୱାଇଟ ହାଉସ ଛାଡିବେ ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ଛାଡପତ୍ର ଦେବେ । ଟ୍ରମ୍ପ ଦମ୍ପତିଙ୍କ ପୁଅ ବାରୋନ ନ୍ୟୁୟର୍କରେ ପାଠ ପଢା ଶେଷ କରିନଥିବାରୁ ମେଲାନିଆ ୱାସିଂଟନ ଯିବାକୁ ୬ମାସ ଅପେକ୍ଷା କରିଥିଲେ । ତେବେ ଷ୍ଟିଫାନୀ ୱାକଅଫ କହିଛନ୍ତି ଯେ, ବାରୋନଙ୍କୁ ଟ୍ରମ୍ପଙ୍କ ସମ୍ପତିରୁ ସମାନ ଅଂଶ ଦେବା ଲାଗି ମେଲାନିଆ ଏକ ବିବାହୋତର ଚୁକ୍ତି ପାଇଁ ମଧ୍ୟ କହିଥିଲେ ।


ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ତଥା ଚର୍ଚ୍ଚିତ ଦମ୍ପତି ରହି ଆସିଛନ୍ତି । ଆଉ ଏମାନଙ୍କ ପ୍ରେମକାହାଣୀ ବି କୌଣସି ଚଳଚ୍ଚିତ୍ର କାହାଣୀ ଠାରୁ କମ୍ ନୁହେଁ । ୧୯୯୮ ମସିହା ନ୍ୟୁୟର୍କ ଟାଇମ୍ସ ସ୍କେ୍ୱୟାର ଠାରେ ଏକ ଫ୍ୟାଶନ ଶୋ’ ପାର୍ଟିରେ ଡୋନାଲ୍ଡ ଓ ମେଲାନିଆଙ୍କ ସାକ୍ଷାତ ହୋଇଥିଲା । ସେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ବୟସ ୫୨ ବର୍ଷ ଥିବାବେଳେ ମେଲାନିଆ ମାତ୍ର ୨୮ ବର୍ଷର ଜଣେ ମଡେଲ ଥିଲେ । ପ୍ରଥମ ଦେଖାରେ ଦୁହିଁଙ୍କ ଆଖି ମିଶିବା ସହ ମନ ବି ମିଶିଯାଇଥିଲା । ପ୍ରଥମ ଦେଖାର ଗୋଟିଏ ସପ୍ତାହ ପରେ ମେଲାନିଆ ନିଜ ଆଡୁ ପ୍ରଥମେ ଡୋନାଲ୍ଡ ଟ୍ରମ୍ପଙ୍କୁ କଲ କଲେ ଏବଂ ତାଙ୍କୁ ସାକ୍ଷାତ କରିବା ପାଇଁ କହିଲେ ।

ଏହାପରେ ଆରମ୍ଭ ହେଲା ଟ୍ରମ୍ପ-ମେଲାନିଆଙ୍କ ପ୍ରେମ କାହାଣୀ । ଯାହା ସେତେବେଳେ ଆମେରିକା ଗଣମାଧ୍ୟମରେ ବେଶ ଚହଳ ସୃଷ୍ଟି କରିଥିଲା । ବର୍ଷ ୨୦୦୦ ଯେତେବେଳେ ଟ୍ରମ୍ପ ରିଫର୍ମ ପାର୍ଟିରେ ଯୋଗଦେଇ ଦଳର ଜଣେ ପାର୍ଥୀ ଭାବେ ମନୋନୀତ ହୋଇଥିଲେ । ସେତେବେଳେ ସେ ଚାହିଁଲେ ମେଲାନିଆ ତାଙ୍କ ପାଖରେ ରୁହନ୍ତୁ । ୨୦୦୧ ମେଲାନିଆଙ୍କୁ ଗ୍ରିନ କାର୍ଡ ମିଳିବା ପରେ ସେ ଟ୍ରମ୍ପ ଟାୱାରକୁ ସ୍ଥାନାନ୍ତର ହୋଇଗଲେ । ୨୦୦୪ରେ ମେଲାନିଆଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ ଟ୍ରମ୍ପ । ୧.୨ ମିଲିଅନ ଡଲାରର ହିରାର ମୁଦି ଦେଇ ବିବାହ ପାଇଁ ପ୍ରପୋଜ କରିଥିଲେ ଟ୍ରମ୍ପ । ଏହା ପରେ ଜାନୁୟାରୀ ୨୨, ୨୦୦୫ରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଡୋଲାଲ୍ଡ ଟ୍ରମ୍ପ ଓ ମେଲାନିଆ ।