ପଳାତକ ମେହୁଲ ଚୋକସିକୁ ଝଟକା । ଚୋକସିକୁ ଏବେ ଆହୁରି ଅନେକ ଦିନ ଡୋମିନିକା ଜେଲରେ ରହିବାକୁ ପଡିବ ।

125

କନକ ବ୍ୟୁରୋ: ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାରେ ପଳାତକ ମେହୁଲ ଚୋକସିକୁ ଝଟକା । ଚୋକସିକୁ ଏବେ ଆହୁରି ଅନେକ ଦିନ ଡୋମିନିକା ଜେଲରେ ରହିବାକୁ ପଡିବ । କାରଣଡୋମିନିକା ହାଇକୋର୍ଟ ତାକୁ ଜମାନତ ଦେବାକୁ ମନା କରିଦେଇଛନ୍ତି ।

ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ପଳାତକ ତଥା ହୀରା ବେପାରୀ ମେହୁଲ ଚୋକସି ଲାଗିଲା ବଡ ଝଟକା । ତଳ କୋର୍ଟ ପରେ ଏବେ ଡୋମିନିକାର ହାଇକୋର୍ଟ ମଧ୍ୟ ଚୋକସିର ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି । ଚୋକସିର ଓକିଲମାନେ ପ୍ରଥମେ ଡୋମିନିକାର ତଳ କୋର୍ଟରେ ଜାମିନ୍ ପାଇଁ ଆବେଦନ କରିଥିଲେ । ସେଠାରେ ଶୁଣାଣୀ କରି ଚୋକସିର ଆବେଦନକୁ ୧୧ ଜୁନ୍ ପାଇଁ ସ୍ଥଗିତ ରଖିଦେଇଥିଲେ । ପରେ ଏହାକୁ ବିରୋଧ କରି ଡୋମିନିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚୋକସି । ଲମ୍ବା ସମୟ ଧରି ଚାଲିଥିବା ଶୁଣାଣୀରେ ହାଇକୋର୍ଟ ଚୋକସିର ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ।

ଗତ ମେ ୨୫ ତାରିଖରେ ଡୋମିନିକାରେ ଅବୈଧ ଭାବେ ପ୍ରବେଶକୁ ନେଇ ମେହୁଲ ଚୋକସିକୁ ଗିରଫ କରିଥିଲେ ଡୋମିନିକା ସରକାର । ମେହୁଲ ଚୋକସିର କହିବା କଥା ତାଙ୍କୁ ଆଂଟିଗୁଆରୁ ଅପହରଣ କରାଯାଇ ଆଣି ଡୋମିନିକାରେ ଛାଡିଦିଆଯାଇଛି । ଆଉ ଏଥିପାଇଁ ଭାରତ ସରକାର, ଆଂଟିଗୁଆ ସରକାର ଓ ତାଙ୍କ ବାନ୍ଧବି ବାରବରା ଜବରିକା ଦାୟୀ । ହେଲେ ଗତ କିଛି ଦିନ ତଳେ ସାମ୍ନାକୁ ଆସିଥିବା ବାରବରାଙ୍କ ବୟାନ ଅନୁଯାୟୀ ଚୋକସି ଡୋମିନିକା ଦେଇ କ୍ୟୁବା ଫେରାର ହେବାର ଯୋଜନା କରିଥିଲେ । ଏବଂ ତାଙ୍କର ମେହୁଲ ଚୋକସି ସହ କୌଣସି ସମ୍ପର୍କ ନାହିଁ ।

ମେହୁଲ ଚୋକସି ଏବଂ ତାର ପୁତୁରା ନିରବ ମୋଦି ଉପରେ ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ୧୩ହଜାର ୫ଶହ କୋଟି ଟଙ୍କା ଠକେଇର ଅଭିଯୋଗ ହୋଇଛି । ନିରବ ମୋଦି ଏବେ ଲଣ୍ଡନର ଏକ ଜେଲରେ ବନ୍ଦି ଥିବାବେଳେ, ଚୋକସି ଡୋମିନିକା ଜେଲରେ ବନ୍ଦି ଅଛି । ଦୁହିଁଙ୍କ ବିରୋଧରେ ସିବିଆଇ ଯାଂଚ କରୁଛି ।