ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଦାବି । କୃଷକଙ୍କୁ କ୍ଷମା ମାଗନ୍ତୁ ହରିଆଣା ମୁଖ୍ୟମନ୍ତ୍ରୀ, ଏସଡିଏମଙ୍କୁ କରାଯାଉ ନିଲମ୍ବିତ

152

କନକ ବ୍ୟୁରୋ : ହରିଆଣାରେ କୃଷକଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ନେଇ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପୁଣିଥରେ ବିଜେପିକୁ ସମାଲୋଚନା କରିଛନ୍ତି । ଲାଠିଚାର୍ଜ ଘଟଣାରେ କୃଷକଙ୍କୁ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି । ଏହାସହ କୃଷକମାନଙ୍କ ଉପରେ ଲାଠିଚାର୍ଜ ପାଇଁ ଆଦେଶ ଦେଇଥିବା ଏସଡିଏମଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରାଯାଉ ବୋଲି ସେ କହିଛନ୍ତି ।

ସତ୍ୟାପାଲ ମଲ୍ଲିକ ଆହୁରି କହିଛନ୍ତି କି ଅଭିଯୁକ୍ତ ଏସଡିଏମଙ୍କର ଚାକିରିରେ ରହିବାର ଯୋଗ୍ୟତା ନାହିଁ । ହେଲେ ଖଟ୍ଟର ସରକାର ଏସଡିଏମଙ୍କ ଦୋଷକୁ ଚାପିଦେବାକୁ ଚେଷ୍ଟା କରୁଥିବା ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି କି କୃଷକ ଆନ୍ଦୋଳନରେ ପାଖା ପାଖି ୬୦୦ କୃଷକଙ୍କର ମୃତ୍ୟୁ ହୋଇସାରିଲାଣି । ହେଲେ ସରକାରଙ୍କ ତରଫରୁ କେହି ବି ସମବେଦନା ନଜଣାଇବା ସରକାରଙ୍କ କୃଷି ଓ କୃଷକ ପ୍ରେମକୁ ପଦାରେ ପକାଇଛି । ମୁଁ ଜଣେ କୃଷକର ପୁଅ ହୋଇଥିବାରୁ ସେମାନଙ୍କ ଦୁଖ ବୁଝିପାରୁଛି ବୋଲି ସେ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଟାର୍ଗେଟ କରି ସତ୍ୟପାଲ ମଲ୍ଲିକ କହିଛନ୍ତି କି ମୁଖ୍ୟମନ୍ତ୍ରୀ ସବୁ ଜାଣିଶୁଣି କୃଷକମାନଙ୍କ ଉପରେ ଲାଠିଚାର୍ଜ କରାଇଛନ୍ତି । ନିଜ ସରକାର ବିରୋଧରେ କହିବା ବେଳେ ସେ କହିଛନ୍ତି କି ମୋତେ ରାଜ୍ୟପାଳ ପଦ ପ୍ରତି ଦୁର୍ବଳତା ନାହିଁ । ମୁଁ ଯାହା ସତ୍ୟ ତାହା କହୁଛି, ଆବଶ୍ୟକ ପଡିଲେ ମୁଁ କୃଷକ ଆନ୍ଦୋଳନରେ ଯୋଗଦେବି ।