ଦୁର୍ନୀତି ହେଉଥିଲା, ସତ କହିଲି… ସେଥିପାଇଁ ଗୋଆ ରାଜ୍ୟପାଳ ପଦରୁ ବଦଳାଇ ଦିଆଗଲା । 

145

କନକ ବ୍ୟୁରୋ : ମୁହଁ ଖୋଲିଲେ ମେଘାଳୟ ରାଜ୍ୟପାଳ, ସତ କହିବାରୁ ହଟାଇଦେଲେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି, ଗୋଆରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ମୋଦି ସରକାରଙ୍କୁ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପୂର୍ବରୁ ସତ୍ୟପାଲ ଗୋଆର ରାଜ୍ୟପାଳ ରହିଥିବାରୁ ତାଙ୍କର ଏଭଳି ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ଓ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ବଡ ସୁଯୋଗ ମିଳିଛି ।

ସତ୍ୟପାଲ କହିଛନ୍ତି, ଗୋଆରେ ଥିବା ବିଜେପି ସରକାର କୋଭିଡ ମୁକାବିଲା ସଠିକ ଢଙ୍ଗରେ କରିପାରିନାହାନ୍ତି । କରୋନା କାଳରେ ଗୋଆ ସରକାର ଯାହା କିଛି ବି କରିଛନ୍ତି, ସବୁଥିରେ ଦୁର୍ନୀତର ଗନ୍ଧ ଆସୁଛି । ଗୋଆ ସରକାରଙ୍କ ଉପରେ ଏଭଳି ଅଭିଯୋଗ ଆଣିବା କାରଣରୁ ମୋତେ ଗୋଆ ରାଜ୍ୟପାଳ ପଦରୁ ବଦଳାଇ ଦିଆଯାଇଥିଲା ମୁଁ ଚରଣ ସିଂଙ୍କ ସହ କାମ କରିଛି, ସମୟ ବିତାଇଛି । ତେଣୁ ଦୁର୍ନୀତିକୁ ସହଜରେ ବରଦାସ୍ତ କରିପାରିବି ନାହିଁ ।

ଗୋଆରେ ଏକ କମ୍ପାନିର କହିବା ଅନୁଯାୟୀ, ପ୍ରତି ଘରେ ରାସନ ସାମଗ୍ରୀ ପହଞ୍ଚାଯାଉଥିଲା । ଆଉ ଏଥିପାଇଁ ଉକ୍ତ କମ୍ପାନି ସରକାରଙ୍କୁ ମଧ୍ୟ କିଛି ଅର୍ଥରାଶି ଦେଇଥିବା ନେଇ ଅଭିଯୋଗ କରିଛନ୍ତି ସତ୍ୟପାଲ । କଂଗ୍ରେସ ସମେତ ଅନ୍ୟ ଦଳ ଗୁଡିକ ଏବାବଦରେ ଯାଞ୍ଚ  ପାଇଁ ଦାବି କରିଥିଲେ । ଆଉ ଯାଞ୍ଚରୁ ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା ସେ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିବା କହିଛନ୍ତି ସତ୍ୟପାଲ ।

ସରକାର ଭୁଲ କରୁଛନ୍ତି, କିନ୍ତୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ବିମାନବନ୍ଦର ପାଖରେ ଏକ ବଡ ପ୍ରୋଜେକ୍ଟର କାମ ଚାଲଥିବା ବେଳେ ଅନେକ ଗୁଡିଏ ଟ୍ରକର ବ୍ୟବହାର ହେଉଥିଲା । କୋଭିଡ ସ୍ଥିତିକୁ ଦେଖି ଏହି କାର୍ଯ୍ୟକୁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସରକାର ଏକଥାକୁ କର୍ଣ୍ଣପାତ କରିନଥିଲେ । ଯାହାଫଳରେ ପରବର୍ତ୍ତୀ ସମୟରେ ଏହି ସ୍ଥାନ କରୋନାର ହଟସ୍ପଟ ପାଲଟିଯାଇଥିଲା । ଏହାସହ ସତ୍ୟପାଲ କହିଛନ୍ତି, ଆଜି ଦେଶରେ ଲୋକେ ସତ କହିବାକୁ ଡରୁଛନ୍ତି । କିନ୍ତୁ ମୋତେ ଯାହା ଠିକ୍ ଲାଗିଥିଲା ମୁଁ ତାହା କରିଥିଲି । ଏପରିକି ଏବେ ଗୋଆରେ ଥିବା ସରକାର ରାଜଭବନ ଭାଙ୍ଗି ନୂଆ ରାଜଭବନ ନିର୍ମାଣ କରିବାକୁ ଚାହୁଁଥିଲେ । କିନ୍ତୁ ବାସ୍ତବରେ ଏହାର କୌଣସି ଆବଶ୍ୟକତା ନାହିଁ । ତେବେ ଏହି ରାଜଭବନ ନିର୍ମାଣ ପାଇଁ ସେତେବେଳେ ପ୍ରସ୍ତାବ ଅଣାଯାଇଥିଲା ଯେବେ ଗୋଆ ସରକାରଙ୍କ ଉପରେ ଆର୍ଥିକ ଚାପ ଅଧିକ ରହିଥିଲା । ଆଗରୁ ରାଜନୀତି ଏକ ଲଢେଇ ଥିଲା, ହକର ଲଢେଇ, ଲୋକଙ୍କ ପାଇଁ ଲଢେଇ । କିନ୍ତୁ ତାପରେ ରାଜନୀତି ବ୍ୟବସାୟ ହୋଇଗଲା,  ଆଉ ଏବେ ରାଜନୀତି ବ୍ୟବସାୟ ସହ ଦୁର୍ନୀତିର ଗନ୍ତାଘର ପାଲଟିଛି ।  ତେବେ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ । ତେଣୁ ବିଳମ୍ବରେ ହେଲେ ମଧ୍ୟ ମୋଦୀ ନିଶ୍ଚୟ ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ।