ୟୁନିଫର୍ମ ସିଭିଲ କୋଡକୁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧ । କହିଲେ, ଏହା ଭାରତୀୟ ସଂସ୍କୃତିର ବିରୋଧୀ

1,090

କନକ ବ୍ୟୁରୋ : ୟୁନିଫର୍ମ ସିଭିଲ କୋଡକୁ ନେଇ ଦେଶର ରାଜନୀତି ଏବେ ସରଗରମ ରହିଛି । କେନ୍ଦ୍ର ସରକାର ୟୁନିଫର୍ମ ସିଭିଲ କୋଡ ଆଣିବା ନେଇ ଘୋଷଣା କରିବା ପରେ ବିରୋଧୀଦଳମାନେ ଏହାକୁ ନେଇ ଅଡୁଆରେ ପଡିଛନ୍ତି । ଏହି କ୍ରମରେ କିଛି ବିରୋଧୀଦଳ ଏହାକୁ ନେଇ ନିରବ ଥିବା ବେଳେ ଆପ୍ ଓ ଜେଡିୟୁ ଏହାକୁ ସମର୍ଥନ କରିଛନ୍ତି । ସେପଟେ ବିଜେପି ମେଣ୍ଟରେ ମେଘାଳୟରେ ସରକାର ଗଠନ କରିଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି ଏହି ଆଇନକୁ ଖୋଲାଖୋଲି ଭାବେ ଏହାକୁ ବିରୋଧ କରିଛି । ମେଘାଳୟ ମୁଖ୍ୟମନ୍ତ୍ରୀ କନରଡ ସାଂଗମା ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡକୁ ବିରୋଧ କରିଛନ୍ତି । ଶୁକ୍ରବାର ଦିନ ସେ କହିଛନ୍ତି କି ଏହି ଆଇନ ଦେଶର ବାସ୍ତବିକ ବିଚାରର ବିପରିତ । ଭାରତ ଏକ ବିବିଧତାପୂର୍ଣ୍ଣ ଦେଶ ଓ ଏହି ବିବିଧତା ଆମର ଶକ୍ତି । ଏକ ରାଜନୈତିକ ଦଳ ଭାବେ ଆମେ ଅନୁଭବ କରୁଛୁ କି ଦେଶର ପୁରା ପୂର୍ବୋତ୍ତରରେ ଦେଶର ନିଆରା ସଂସ୍କୃତି ବଜାୟ ରହିଛି । ଏହି ସଂସ୍କୃତି ବଞ୍ଚାଇ ରଖିବାକୁ ହେଲେ ୟୁନିଫର୍ମ ସିଭିଲ କୋଡ ଭଳି ଆଇନକୁ ବିରୋଧ କରାଯିବା ଉଚିତ । ଏହାସହ ସମାନ ନାଗରିକ ସଂହିତା ହେଶର ସଂସ୍କୃତି ବିରୋଧୀ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଏତିକିରେ ଅଟକି ନାହାଁନ୍ତି କନରଡ ସାଂଗମା । ସେ କହିଛନ୍ତି କି ଏହି ବିଲର ଡ୍ରାଫ୍ଟ ନଦେଖିବା ଯାଏ ଏହା ଉପରେ କିଛି ସବିଶେଷ ମତ ଦେବା ମୁସ୍କିଲ । ଅନ୍ୟପଟେ ବିଜେପି ସହ ମେଣ୍ଟରେ ସରକାର ଗଠନ କରିଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇପାରେ । କାରଣ ମେଘାଳୟ ବିଧାନସଭାର ମୋଟ ୬୦ ଆସନ ମଧ୍ୟରୁ ଏନପିପିକୁ ୨୮ ଆସନ ମିଳିଛି । ତେଣୁ ଦଳକୁ ବହୁମତ ମିଳିନଥିବାରୁ ସେ ବିଜେପି ସହ ମେଣ୍ଟରେ ସରକାର ଗଠନ କରିଛି । ମେଣ୍ଟରେ ସରକାର ଥାଇ ଯଦି କେନ୍ଦ୍ର ବିଜେପି ଆଣିଥିବା ବିଲକୁ ବିରୋଧ କରାଯାଏ ତେବେ ସରକାର ପ୍ରତି ମଧ୍ୟ ବିପଦ ରହିଛି ।