କନକ ବ୍ୟୁରୋ : ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ବଜେପି ତରଫରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଥିବା କର୍ନଡ ସାଂଗମାଙ୍କ ବିରୋଧରେ ବିଜେପି ପୂର୍ବ ଉଗ୍ରବାଦୀ ନେତା ତଥା ଦଳର ରାଜ୍ୟ ଉପାଧ୍ୟକ୍ଷ ବେର୍ନଡ ଏନ ମାରକଙ୍କୁ ପ୍ରାର୍ଥୀ କରିଛି । ମାରକ ଦକ୍ଷିଣ ତୁରା ବିଧାନସଭା କ୍ଷେତ୍ରରୁ କର୍ନଡ ସାଂଗମାଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ।
ଏକ ଜାତୀୟ ଗଣମାଧ୍ୟମରେ ସୂଚନା ମୁତାବକ ପୂର୍ବ ଉଗ୍ରବାଦୀ ନେତା ବର୍ନାଡ ଏନ ମାରକ ୨୦୧୪ମସିହାରେ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର କରି ଗଠନ କରିଥିବା ଉଗ୍ରବାଦୀ ସଂଗଠନ ଏଏନଭିସିକୁ ଭଙ୍ଗ କରିଥିଲେ । ସେ ରାଜ୍ୟର ଗାରୋ ଆଦିବାସୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାକୁ ଦାବି କରୁଥିଲେ ।
ଏହାସହ ୨୦୨୧ ମସିହାରେ ସେ ମେଘାଳୟ ତୁରାରେ ଥିବା ନିଜର ଫାର୍ମହାଉସରେ ବେଶ୍ୟାଳୟ ଚଳାଉଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଏହି ଅଭିଯୋଗ ଆଧାରରେ ବେର୍ନଡ ଏନ ମାରକଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ଆସିବା ପରେ ବେର୍ନଡ ମାରକ ଫେରାର ହୋଇଯାଇଥିଲେ । ପୋଲିସ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରି ତାଙ୍କୁ ଉତ୍ତର ପ୍ରଦେଶରୁ ଗିରଫ୍ କରିଥିଲା ।
ସୂଚନା ଥାଉକି ଚଳିତ ମେଘାଳୟ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ନିର୍ବାଚନ ଲଢୁଛି । ରାଜ୍ୟର ସମସ୍ତ ୬୦ଟି ଆସନରେ ଦଳ ପ୍ରତିଦ୍ୱନ୍ଦିତା କରୁଛି । ଗତମାସ ଦଳ ତରଫରୁ କର୍ନଡ ସାଂଗମାଙ୍କ ନେତୃତ୍ୱାଧୀନ ମେଘାଳୟ ଡେମୋକ୍ରେଟିକ ମେଣ୍ଟରୁ ବିଜେପି ଅଲଗା ହୋଇ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ।