ଜାମ୍ମୁ-କାଶ୍ମୀର ଓ ଲେହ-ଲଦ୍ଦାଖ ଲାଇଫଲାଇନ୍ ପାଲଟିବ ଜୋଜିଲା ଟନେଲ୍

ସାମରିକ ଓ ଅର୍ଥନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୁର୍ଣ୍ଣ; ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ବର୍ଷ ତମାମ୍ ଖୋଲା ରହିବ ସୋନମାର୍ଗ ଓ କାଶ୍ମୀରର ବହୁ ପର୍ଯ୍ୟଟନସ୍ତଳୀ

154

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର ଓ ଲେହ-ଲଦାଖର ଲାଇଫ ଲାଇନ ପାଲଟିବ ଜୋଜିଲା ଟନେଲ । ଜାମ୍ମୁ-କାଶ୍ମୀରର ଶ୍ରୀନଗର ସହିତ ଲେହ-ଲଦାଖକୁ ସଂଯୋଗ କରୁଥିବା ଏହି ଟନେଲ ଉଭୟ ପ୍ରତିରକ୍ଷା ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ସୋନମର୍ଗ ଓ କାଶ୍ମୀରର ବହୁ ପର୍ଯ୍ୟଟନ ସ୍ଥଳୀ ବର୍ଷତମାମ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ । କାରଣ ଶୀତଦିନେ ବର୍ଷର ପ୍ରାୟ ୬ ମାସ ଏହି ଅଂଚଳ ଦେଇ ଯାତାୟତ ସମ୍ଭବ ହେଉନାହିଁ । ସାମରିକ ଦୃଷ୍ଟିକୋଣରୁ ମଧ୍ୟ ଏହି ବିକଳ୍ପ ରାସ୍ତା ବେଶ ସହାୟକ ହେବ । ଭାରତ-ଚୀନ ଓ ଭାରତ-ପାକିସ୍ତାନ ସୀମା ନିକଟତର ହୋଇଯିବ । ବାଲ୍ଟାଲରୁ ମିନାମାର୍ଗ ପର୍ଯ୍ୟନ୍ତ ଦୂରତା ୪୦ କିଲୋମିଟରରୁ ୧୩ କିଲୋମିଟରକୁ ହ୍ରାସ ପାଇବ ।

ଦୁଇ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରେ ଯାତ୍ରା ସମୟ ପ୍ରାୟ ଦେଢଘଂଟା କମିଯିବ । ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏହି ଜୋଜିଲା ଟନେଲର ସମୀକ୍ଷା କରିବେ । ପ୍ରଥମଥର ପାଇଁ କେନ୍ଦ୍ରମନ୍ତ୍ରୀ ୪୩୫ ମିଟର ଟ୍ୱିନ ଟ୍ୟୁବ ଟନେଲ ଦେଇ ଯିବେ । ଜୋଜିଲା ଟନେଲର ଲମ୍ବ ୧୪. ୧୫ କିଲୋମିଟର । ୯.୫ ମିଟର ଚଉଡା ଓ ଉଚ୍ଚତା ୭.୫୭ ମିଟର । ପ୍ରାୟ ୬ ହଜାର କୋଟି ଟଙ୍କାରେ ଏହି ପ୍ରକଳ୍ପ କାମ କରୁଛି ହାଇଦ୍ରାବାଦର ମେଗା ଇଂଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ । ଟନେଲ ନିର୍ମାଣରେ ଅଷ୍ଟ୍ରେଲିଆର ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି ।