ସରିନି କୁବେର ସରକାରୀ ବାବୁଙ୍କ ସମ୍ପତ୍ତିର ହିସାବ : ଏବେ ବି ଚାଲିଛି ଆକଳନ; ୩୩ ବର୍ଷ ଚାକିରିରେ ତିଆରି କରିଛନ୍ତି ୨୭ଟି ପ୍ଲଟ୍ ଓ ବଡ ବଡ କୋଠା

ପ୍ରତାପ ସାମଲଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ

183

କନକ ବ୍ୟୁରୋ : କୁବେର ସରକାରୀ ବାବୁଙ୍କର କୋଟି କୋଟି ଟଙ୍କାର ଚାଲିଛି ଆକଳନ । ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ । ଗତକାଲି ପ୍ରତାପଙ୍କ ଘରେ ଚଢଉ କରିଥିଲା ଭିଜିଲାନ୍ସ । ଯେତେବେଳେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଥିଲେ, ଠାବ ହୋଇଥିବା ସମ୍ପତ୍ତିକୁ ଦେଖି ସେମାନଙ୍କ ଆଖି ଖୋସି ହୋଇଯାଇଥିଲା । ଅସତ ଉପାୟରେ ଅର୍ଜନ ହୋଇଥିବା ଏହି ଟଙ୍କାରେ କିଣା ଯାଇଥିଲା ୨୭ଟି ପ୍ଲଟ ଓ ତିଆରି ହୋଇଥିଲା ବଡ଼ ବଡ଼ କୋଠା । ସରକାରୀ ବାବୁଙ୍କ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୭ଟି ପ୍ଲଟ ଓ ୨ଟି କୋଠା, ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ କୋଠା ରହିଛି ।

ତଥ୍ୟ ମୁତାବକ, ଆଜି ଭୁବନେଶ୍ବର ଭିଜିଲାନସ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ପକ୍ଷରୁ ଓଡ଼ିଶା ପୁଲିସ ହାଉସିଂବୋର୍ଡ ଓ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘ‌‌ରେ ଚଢଉ କରାଯାଇଥିଲା । ଭିଜିଲାନ୍ସର ୧୦ଟି ଟିମ୍ ଏକକାଳୀନ ଭୁବନେଶ୍ବର ପୁଲିସ ହାଉସିଂବୋର୍ଡ ଅଫିସ ସମେତ ୧୦ଟି ସ୍ଥାନ‌ରେ ଚଢଉ କରିଥିଲା । ଏଥିରେ ଜଣେ ଅତିରିକ୍ତ ଏସପି, ୫ଜଣ ଡିଏସପି, ୭ଜଣ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ । ପ୍ରତାପ ସାମଲ ଓ ତାଙ୍କ ପତ୍ନୀଙ୍କ ନାମରେ ଭୁବନେଶ୍ବର-ଖୋର୍ଦ୍ଧରେ ୧୭ଟି ପ୍ଲଟ, ୩ଟି କୋଠା ଓ ଏକ ଫ୍ଲାଟ ଥିବାବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁରେ ୫ଟି ପ୍ଲଟ୍ ଓ ଏକ ତିନି ମହଲା କୋଠା, ବାଲେଶ୍ବର ସିମୁଳିଆ ବେତଡାରେ ଦୁଇ ମହଲା କୋଠା ଥିବା ଜଣାପଡିଛି ।

ଭୁବନେଶ୍ବର ଗୋଠପାଟଣାରେ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାମରେ ଥିବା ୨୦ ହଜାର ୩୫୦ ବର୍ଗ ଫୁଟର ୫ ମହଲା କୋଠା ରହିଛି। ଯାହାର ବଜାର ମୂଲ୍ୟ ଜମି ସହିତ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି । ସେହିଭଳି ପ୍ରତାପ ସାମଲଙ୍କ ଭୁବନେଶ୍ବର ଆଇଆରସି ଭିଲେଜ ପ୍ଲଟ୍ ନଂ ଏନ/୬-୪୧୬ର ତିନି ମହଲା କୋଠା, ଜୟଦେବ ବିହାର, ବିଜୁ ପଟ୍ଟନାୟକ କଲେଜ ଛକ ମା’ ମଙ୍ଗଳ ମନ୍ଦିର ଅପରପାର୍ଶ୍ବରେ ଥିବା ୬ ମହଲା କୋଠା, ଖଣ୍ଡଗିରି ସରକନ୍ତରାର ପ୍ଲଟ ନଂ ୩/୬୦୫ ଏକ ମହଲା ଘର (ଯାହା ଭଡାରେ ଦିଆଯାଇଥିଲା), ଜୟଦେବ ବିହାର ନରେନ୍ଦ୍ର ଭିଲାରେ ଫ୍ଲାଟ ଇତ୍ୟାଦି ରହିଛି । ଖୋର୍ଦ୍ଧାର ଗଡଜାଗସରା, ଆଇଗିଣିଆ, ବରମୁଣ୍ଡା, ଗୋଠପାଟଣା, ଶଙ୍କରପୁର, ଚୈତନ୍ୟ ପ୍ରସାଦ, ହରପୁର, ଜୟଦେବ ବିହାର, ଖଣ୍ଡଗିରିରେ ମୂଲ୍ୟବାନ ପ୍ଲଟ ରହିଛି ।

ସୂଚନାଯୋଗ୍ୟ ଯେ ପ୍ରତାପ ସାମଲ ୧୯୮୮ରେ ଜୁନିଅର ଇଂଜିନିୟର ଭାବେ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନରେ ଯୋଗ ଦେଇଥିଲେ । ୧୯୯୪-୯୫ରୁ ଏଷ୍ଟିମେଟର ଭାବେ କାମ କରୁଥିଲେ। ସେ କେନ୍ଦ୍ରାପଡା ଓ ଦେବଗଡ‌‌ରେ ବି କାମ କରିଥିଲେ । ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପଦୋନ୍ନତି ପାଇ ରାଉରକେଲା, ବଲାଙ୍ଗୀର, କେନ୍ଦୁଝର, କଟକରେ କାମ କରିବା ପରେ ୨୦୧୯ରୁ ସେ ଭୁବନେଶ୍ବରରେ କାମ କରି ଆସୁଛନ୍ତି ।