ନିଜ ଗଡରେ ନବୀନଙ୍କ ଜୋରଦାର ପ୍ରଚାର । ଆସ୍କା ଲୋକସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡା ସୋ’, ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ନିବେଦନ

155

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନିଜ ଗଡରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସ୍କା ଲୋକସଭା କ୍ଷେତ୍ରର ସାନଖେମୁଣ୍ଡି, ଶେରଗଡ, ହିଂଜିଳିକାଟୁରେ ବିଶାଳ ରୋଡ-ସୋ କରିଛନ୍ତି ନବୀନ । ସାଢେ ୪ କୋଟି ଓଡିଆଙ୍କୁ ନିଜ ପରିବାର ବୋଲି କହିବା ସହ ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।

ମାରାଥନ ପ୍ରଚାରରେ ଲାଗିଛନ୍ତି ନବୀନ । ଆସନ୍ତା ୧୮ ତାରିଖରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଆଉ ଏହି ପର୍ଯ୍ୟାୟରେ ଆସୁଛି ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୭ ବିଧାନସଭା କ୍ଷେତ୍ର । ତେଣୁ ନବୀନ ଆଜି ସକାଳ ୧୦ଟା ସମୟରେ ସାନଖେମୁଣ୍ଡିରେ ପହଂଚି ଆରମ୍ଭ କରିଥିଲେ ପ୍ରଚାର । କେତେବେଳେ ବସ ଭିତରେ ଆଉ କେତେବେଳେ ବସ ଉପରକୁ ଉଠି ଜନତାଙ୍କୁ ଭୋଟ ଦେବା ପାଇଁ ନିବେଦନ କରିବାର ଦୃଶ୍ୟ ଦେଖିବାକୁ ମିଳୁଥିଲା । ରୋଡ ସୋରେ ରାସ୍ତାରେ ଦୁଇ ପାଶ୍ୱର୍ରେ ଜମିଥିଲା ଲୋକଙ୍କ ଭିଡ । ନବୀନ ବସ ଭିତରୁ ହାତ ହଲାଇ ମାଇକ୍ରୋଫୋନରେ ଭୋଟ ଦେବାକୁ ନିବେଦନ କରୁଥିଲେ ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ନବୀନଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ହେବ ମତଦାନ । ତେଣୁ ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ୱ ବହନ କରୁଛି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ମଧ୍ୟ ପହଂଚିଥିଲା ନବୀନଙ୍କ ପ୍ରଚାର ବସ । ବିଭିନ୍ନ ସ୍ଥାନରେ ନବୀନ ଜନସଭାକୁ ସମ୍ବୋଧିତ କରୁଥିବାର ଦୃଶ୍ୟ ମଧ୍ୟ ଆସିଥିଲା ନଜରକୁ । ସାନଖେମୁଣ୍ଡି, ହିଞ୍ଜିଳିକାଟୁ, ଆସ୍କାର ବିଭିନ୍ନ ଗାଁ, ଶେରଗଡ ଏବଂ ସୋରଡାରେ ଜନତାଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରିଥିଲେ ନବୀନ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବା ବେଳେ ଆସ୍କା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନର ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ମାଗିଥିଲେ ନବୀନ ।