ଖଲ୍ଲିକୋଟରେ ଧିମେଇ ଯାଇଛି ମେଗା ଜଳ ଯୋଗାଣ ପ୍ରକଳ୍ପ କାମ । ସରୁଛି ସମୟ, ହେଲେ ସରୁନାହିଁ ନିର୍ମାଣ କାମ

122

କନକ ବ୍ୟୁରୋ : ଗଞ୍ଜାମ-ଖୋର୍ଦ୍ଧା ସୀମାରେ ଥିବା ଶାଳିଆ ଡ୍ୟାମର ପାଣିକୁ ବିଶୋଧନ କରି ପିଇବାକୁ ଦିଆଯିବ । ଡ୍ୟାମ ପାଣିକୁ ଗାଁ ଗାଁରେ ପହଂଚାଯିବ । ଲୋକମାନେ ପାଇପ୍ ଯୋଗେ ଗାଁ ଦଣ୍ଡରୁ ପାଣି ସଂଗ୍ରହ କରିବେ । ସେଥିପାଇଁ ମେଗା ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି । ଖଲ୍ଲିକୋଟ ବ୍ଲକର ୨୯ ପଂଚାୟତ ଓ ବେଗୁନିଆପଡା ବ୍ଲକର ଦୁଇଟି ପଂଚାୟତକୁ ପିଇବା ପାଣି ଯୋଗାଇବା ପାଇଁ ୧୧୩ କୋଟି ୪୮ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ସରକାର । ୨୦୨୧ ମସିହାରେ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ରାଜ୍ୟ ବାହାରର ଠିକା କମ୍ପାନୀକୁ କାମ ଦିଆଯାଇଛି । ୨୦୨୩ ନଭେମ୍ବର ୧୬ ତାରିଖ ସୁଦ୍ଧା କାମ ସାରିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ତେବେ ଦୁଇ ବର୍ଷ ତଳୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା ମାତ୍ର ୨୦ରୁ ୩୦ ଭାଗ କାମ ହୋଇଥିବା ସ୍ଥାନୀୟ ଲୋକେ ଅଭଇଯୋଗ କରିଛନ୍ତି । ସମୟ ସୀମା ସରିବାକୁ ବସିଥିବା ବେଳେ କାମ ସରୁନଥିବାର ଅସନ୍ତୋଷ ଦାନା ବାନ୍ଧୁଛି   ।

ସେପଟେ କବିସୂର୍ଯ୍ୟନଗର ବ୍ଲକ ଜରଡ ଗ୍ରାମ ପଂଚାୟତରେ ମନରେଗାରେ ମହାଦୁର୍ନୀତି ଅଭିଯୋଗ ଆସିଛି । କୌଣସି କାମ ନକରି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବା ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି । ଗୋଟିଏ ଦୁଇଟି ନୁହେଁ ସତ ସାତଟି କାମରେ ଦୁର୍ନୀତି ଅଭିଯୋଗ ହୋଇଛି । ବିନା ସୂଚନା ଫଳକ ଓ ବିନା କାମରେ ଟଙ୍କା ଲୁଟ୍ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଅଭିଯୋଗର ଚିଠା ପୋଷ୍ଟର ବିଭିନ୍ନ ସ୍ଥାନରେ ଲାଗିବା କେବେ ତଦନ୍ତ ହେଉଛି, ତାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ ।

ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରାଇବା ପାଇଁ ସରକାରୀ ବାବୁଙ୍କୁ ଦାୟିତ୍ୱ ଦିଆଯାଉଛି । ହେଲେ ବାବୁମାନେ ସଠିକ୍ ଢଙ୍ଗରେ କାର୍ଯ୍ୟର ତଦରଖ କରୁନଥିବାରୁ ବାରମ୍ବାର ଦୁର୍ନୀତିର ଅଭିଯୋଗ ଆସୁଛି ।