ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲି ଛତିଶା ନିଯୋଗ ବୈଠକ । ଜଗା ଦର୍ଶନ ନେଇ ହେବ ଆଲୋଚନା

80

କନକ ବ୍ୟୁରୋ : ଆସନ୍ତାକାଲି ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ଛତିଶାନିଯୋଗ ବୈଠକ ବସିବ । ମନ୍ଦିର ଖୋଲିବା ନେଇ ଏହି ବୈଠକରେ ଆଲୋଚନା କରାଯିବ । ଆଲୋଚନା ପୂର୍ବରୁ କନକ ନ୍ୟୁଜକୁ ସାକ୍ଷାତକାର ଦେଇ ପୁଷ୍ପାଳକ ନିଯୋଗ, ଦଇତାପତି ନିଯୋଗ ଓ ପାଣିଆ ନିଯୋଗର ସଂପାଦକମାନେ କହିଛନ୍ତି ମନ୍ଦିର ଖୋଲିବା ଆବଶ୍ୟକ ଏବଂ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଅପେକ୍ଷା କରିଛି । ଦୀର୍ଘ ୯ ମାସ ହେବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି ।

କରୋନା ମହାମାରୀ ଦୀର୍ଘ ଦିନ ହେବ ବନ୍ଦ ରହିଛି ଶ୍ରୀମନ୍ଦିର । ଏଥିପାଇଁ ଗତ ୯ ମାସ ହେବ ଜଗା ଦର୍ଶନରୁ ବଞ୍ଚିତ ଅଛନ୍ତି ଭକ୍ତ । ହେଲେ ମହାମାରୀକୁ ଆଖି ଆଗରେ ରଖି ପ୍ରଶାସନ ମନ୍ଦିରକୁ ବନ୍ଦ ରଖିଛନ୍ତି । ଆଉ ସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିଛି । ହେଲେ ମନ୍ଦିର ଭିତରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ନିୟମ ଅନୁସାରେ ଜାରି ରହିଛି ।

ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନଲକ ମଧ୍ୟ ଆରମ୍ଭ କରି ସାରିଛନ୍ତି । ଅନ୍ୟ କିଛି ରାଜ୍ୟରେ ମନ୍ଦିର ଖୋଲା ହୋଇଯାଇଛି । ହେଲେ ଓଡିଶାରେ ରାଜ୍ୟ ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇ ନାହାନ୍ତି । ତେଣୁ ଏଭଳି ପରିସ୍ଥିତିରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାହିଁ ବସିଛନ୍ତି ।