କନକ ବ୍ୟୁରୋ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ ବୈଠକ ପରେ ବି ଥମୁନି କୁସ୍ତିଯୋଦ୍ଧା ବିବାଦ । ୨୪ ଘଣ୍ଟା ଭିତରେ କୁସ୍ତି ମହାସଂଘ କ୍ରୀଡ଼ା ମନ୍ତ୍ରାଳୟକୁ ଜବାବ ଦାଖଲ କରିବ । ଆଜି ପୁଣି ହେବ ଆଲୋଚନା । ଭାରତୀୟ କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂହଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି କୁସ୍ତି ଯୋଦ୍ଧା । ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ରହିଛି । ଗତକାଲି ବିଳମ୍ବିତ ରାତିରେ ଆନ୍ଦୋଳନରେ ବସିଥିବା ରେସଲରଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଆଲୋଚନା କରିଥିଲେ । ହେଲେ ବ୍ରିଜ ଭୂଷଣଙ୍କୁ ପଦରୁ ହଟାଇବାକୁ କୁସ୍ତିଯୋଦ୍ଧା ଅଡି ବସିଥିଲେ । ଏହାପରେ ବ୍ରିଜ ଭୂଷଣ ସିଂହଙ୍କୁ ପଦ ଛାଡିବାକୁ କୁହାଯାଇଥିବା ସୂଚନା ରହିଛି ।

Advertisment

ଆଜି ମଧ୍ୟ ଅପରାହ୍ନରେ ଅନୁରାଗ ଠାକୁର କୁସ୍ତିଯୋଦ୍ଧାଙ୍କ ସହ ବୈଠକ କରିବାର ସୂଚନା ରହିଛି । ଗତକାଲି ବୈଠକ ବେଳେ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗାଟ୍, ସରିତା ମୋର ଓ ସୁମିତ୍ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପୂର୍ବରୁ ବ୍ରିଜଭୂଷଣଙ୍କୁ ସଭାପତି ପଦରୁ ବିଦା କରିବା ପାଇଁ କ୍ରୀଡ଼ା ମନ୍ତ୍ରାଳୟର ଅଧିକାରୀଙ୍କୁ ଭେଟି ମହାସଂଘକୁ ଭଙ୍ଗ କରିବାକୁ ଦାବି କରିଥିଲେ କୁସ୍ତିଯୋଦ୍ଧା । ଯୌନ ନିର୍ଯାତନା, ଅଶାଳୀନ ବ୍ୟବହାର, ଜାତିବାଦ ଭଳି ଗୁରୁତର ଅଭଯୋଗର ଲମ୍ବା ତାଲିକା ରହିଛି କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରନ ସିଂଙ୍କ ବିରୋଧରେ । ସେପଟେ ଏହାକୁ ନେଇ ରାଜନୀତିକରଣ ମଧ୍ୟ ଆରମ୍ଭ ହୋଇଛି । କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି କଂଗ୍ରେସ ତୁରନ୍ତ ମାମଲାର ସମାଧାନ ପାଇଁ ଦାବି କରିଛି । ଏସବୁ ଭିତରେ ଦିନ ୧୨ଟାରେ ବିବାଦର କେନ୍ଦ୍ରରେ ଥିବା ବ୍ରିଜଭୂଷଣ ମିଡିଆକୁ ସମ୍ବୋଧନ କରିବାର ଅଛି ।