ସଂକଟରେ ପଞ୍ଜାବ ସରକାର । ସିଦ୍ଧୁଙ୍କ ନିକଟତର ୨୩ ବିଧାୟକଙ୍କ ଗୁପ୍ତ ବୈଠକ, ସୋନିଆଙ୍କୁ ଭେଟିବା ନେଇ ଚର୍ଚ୍ଚା

126

କନକ ବ୍ୟୁରୋ : ପୁଣି ଥରେ ପଞ୍ଜାବରେ କ୍ୟାପଟେନ ଅମରିନ୍ଦରସିଂଙ୍କ ସରକାର ଉପରେ ସଂକଟର କଳା ବାଦଲ ଛାଇ ଯାଇଛି । ମଙ୍ଗଳବାରଦିନ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତସିଂ ସିଦ୍ଧୁଙ୍କ ନିକଟତର କୁହାଯାଉଥିବା ମନ୍ତ୍ରୀ ତୃପ୍ତ ରାଜିନ୍ଦର ସିଂ ବାଜବାଙ୍କ ଘରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତିନି ଜଣ ମନ୍ତ୍ରୀ ଓ ୨୦ ଜଣ ବିଧାୟକ ଏକାଠି ହୋଇ ବୈଠକ କରିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୪ ଜଣ ମନ୍ତ୍ରୀ ଓ ବିଧାୟକ ପରଗଟ ସିଂ ଖୁବଶୀଘ୍ର ସୋନିଆ ଗାନ୍ଧୀଙ୍କୁ ଭେଟି ପାରନ୍ତି ।

ଏହା ପୂର୍ବରୁ ରବିବାର ଦିନ କାଶ୍ମୀର ଓ ପାକିସ୍ତାନ ଭଳି ସମ୍ବେଦନଶୀଳ ରାଷ୍ଟ୍ରୀୟ ମୁଦ୍ଦାକୁ ନେଇ ସିଦ୍ଧୁଙ୍କ ୨ ଜଣ ପରାମର୍ଶଦାତା ରାଷ୍ଟ୍ର ବିରୋଧୀ ମନ୍ତବ୍ୟ ଦେଇଥିଲେ । ଏହାକୁ ଗମ୍ଭୀରତାର ସହ ନେଇ କ୍ୟାପଟେନ ଅମରିନ୍ଦର ସିଂ ସେହି ୨ ଜଣଙ୍କୁ ସିଦ୍ଧୁଙ୍କ ପରାମର୍ଶଦାତା ପଦରୁ ହଟାଇ ଦେଇଛନ୍ତି । ଏହାସହ ଭବିଷ୍ୟତରେ ଏଭଳି ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ନଦେବାକୁ ସେମାନଙ୍କୁ କ୍ୟାପଟେନ ପରାମର୍ଶ ଦେଇଛନ୍ତି ।

କହିରଖୁ କି ପଞ୍ଜାବ କଂଗ୍ରେସ କନ୍ଦଳ ଏବେ କିଛିଦିନ ପୂର୍ବରୁ ମେଣ୍ଟିଯାଇଥିବା ଭଳି ମନେ ହେଉଥିଲା । କିଛି ବୈଠକରେ ନବଜୋତସିଂ ସିଦ୍ଧୁ ଓ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମିଳିତ ଭାବେ ଦେଖିବା ପରେ ରାଜ୍ୟ କଂଗ୍ରେସରେ କନ୍ଦଳ ସମାପ୍ତ ହୋଇଥିବା ଭଳି ମନେ ହେଉଥିଲା । ହେଲେ ବାହାରକୁ ଦେଖାଯାଉଥିବା ବନ୍ଧୁତା ଯେ ସତ ନୁହେଁ ତାହା ଆଜିର ବୈଠକରୁ ସ୍ପଷ୍ଟ ହୋଇଛି ।