କରୋନା ସଂକ୍ରମଣରେ ସବୁଠାରୁ ଆଗରେ ଥିବା ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା

457

କନକ ବ୍ୟୁରୋ : ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ପାର ହୋଇସାରିଲାଣି । କିଛି ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦେଶରେ ସବୁଠାରୁ ଅଧିକ କରୋନା ସଂକ୍ରମଣରେ ଶିକାର ହୋଇଥିବା ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି ବୈଠକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଆସନ୍ତା କାଲି ସକାଳ ୧୦ ଟାରେ ଆରମ୍ଭ ହେବ । ଏହା ପରେ ଦିନ ୧୨ ଟାରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା ହେବ କରାଯିବ ବୋଲି ଜଣାପଡିଛି । ସୂଚନା ମୁତାବକ ଏହି ବୈଠକରେ ବର୍ତ୍ତମାନ କରେନାର ସ୍ଥିତି ଉପରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଏହାସହ କରୋନା ଟିକା ବିତରଣ ନେଇ କିଭଳି ଋଣନୀତି ପ୍ରସ୍ତୁତ କରାଯିବ ତାହା ଉପରେ ବିଶେଷ ଭାବେ ଆଲୋଚନା ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ପୂର୍ବରୁ କରୋନା ସ୍ଥିତି ନେଇ ଅନେକ ଥର ସମୀକ୍ଷା ବୈଠକ କରିସାରିଛନ୍ତି । ଦେଶରେ କରୋନା ସଂକ୍ରମଣ କମିଛି । କିଛିଦିନ ହେବ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ତଳେ ରହୁଥିବା ବେଳେ କିଛି ରାଜ୍ୟରେ କିନ୍ତୁ ସ୍ଥିତି ବିଗିଡିବାରେ ଲାଗିଛି । ଏହାକୁ ନଜରରେ ରଖି କିଛି ସହରରେ ରାତ୍ରୀକାଳିନ କଫ୍ୟୁ ବି ଲଗାଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରସରକାରଙ୍କ ତରଫରୁ କରୋନା ଟିକା ଆସିବା ପୂୁର୍ବରୁ କାହାକୁ ଏହି ଟିକା ପ୍ରଥମେ ପ୍ରଦାନ କରାଯିବ, କେଉଁ ରାଜ୍ୟକୁ କେତେ ଟିକା ବିତରଣ କରାଯିବ , ଟିକାର ଦାମ କେତେ ରହିବ , କେଉଁ ବର୍ଗର ଲୋକଙ୍କୁ ମାଗଣା ଟିକା ବଣ୍ଟାଯିବ ତାହା ଉପରେ ପ୍ରସ୍ତୁତି ଜାରି ରହିଛି ।