ନବୀନ-ଜଗନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଶେଷ ।  ୨ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିବା ସୂଚନା । 

149

କନକ ବ୍ୟୁରୋ : ନବୀନ-ଜଗନ ଆଲୋଚନା ଶେଷ । ଲୋକସେବା ଭବନରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି ।  ତେବେ ମାତ୍ର କେଇ ମିନିଟ୍ ମଧ୍ୟରେ ଏହି ଆଲୋଚନା ଶେଷ ହୋଇଛି । ବୈଠକରେ ୨ ରାଜ୍ୟର ମୁଖ୍ୟ ଶାସନ ସଚିବ , ଜଳ ସଂପଦ ସଚିବ , ରାଜସ୍ବ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ତେବେ ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଦୁଇ ରାଜ୍ୟ ମଧ୍ୟରେ ଥିବା ଜଳ ବିବାଦ ଓ ସୀମା ବିବାଦ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି କୁହାଯାଉଥିଲା । କିନ୍ତୁ ସେ ବାବଦରେ ଏଯାବତ୍ କୌଣସି ସୂଚନା ମିଳିନାହିଁ ।

ଏହାପୂର୍ବରୁ ଆଜି ଅପରାହ୍ନ ୪ଟା ସମୟରେ ଭୁବନେଶ୍ୱରରେ ପହଞ୍ଚିଥିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ବିମାନବନ୍ଦରରୁ ସିଧାସଳଖ ରାଜ୍ୟ ଅତିଥି ଭବନ ଅଭିମୁଖେ ଯାଇଥିଲେ ଜଗନ । ଆଉ ଏହାର କିଛି ସମୟ ପରେ ଲୋକସେବା ଭବନରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ଜଗନଙ୍କୁ ସ୍ୱାଗତ କରିଥିଲେ । ଆଉ ଏହାପରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ତେବେ କିଛି ମିନିଟ୍ ମଧ୍ୟରେ ଏହି ଆଲୋଚନା ଶେଷ ହୋଇଛି । ନବୀନ ନିବାସ ଯିବାକୁ ପୂର୍ବରୁ ସ୍ଥିର ହୋଇଥିଲେ ମଧ୍ୟ ଲୋକସେବା ଭବନରୁ ସିଧାସଳଖ ବିମାନବନ୍ଦର ଅଭିମୁଖେ ଯାଇଛନ୍ତି ଜଗନମୋହନ ।