କନକ ବ୍ୟୁରୋ: ଚର୍ଚ୍ଚାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭେଟଘାଟ । ନିକଟରେ ଜେଲରୁ ମୁକୁଳିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ଏହାର ଫଟୋ ନିଜ ସୋସିଆଲ ହ୍ୟାଣ୍ଡେଲରେ ହେମନ୍ତ ସେୟାର କରିଛନ୍ତି । ସେ ଏକ ଫୁଲତୋଡା ମୋଦିଙ୍କୁ ଦେଉଥିବା ଦେଖିବାକୁ ମିଳିଛି । ଫଟୋର କ୍ୟାପସନରେ ଲେଖିଛନ୍ତି ଏହା ଏକ ଶିଷ୍ଟାଚାରପୂର୍ଣ୍ଣ ସାକ୍ଷାତକାର । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି ।
ପୂର୍ବରୁ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଇଡି ଦ୍ୱାରା ଗିରଫ ହୋଇଥିଲେ ହେମନ୍ତ ସୋରେନ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ବି ଦେଇଥିଲେ । ପରେ ତାଙ୍କ ଦଳ ଇଣ୍ଡି ମେଂଟରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢିଥିଲା। ଏହା ପୂର୍ବରୁ ରବିବାର ହେମନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଓ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିଥିଲେ। ତେବେ ଆଗକୁ ଝାଡଖଣ୍ଡରେ ସାଧାରଣ ନିର୍ବାଚନ ଥିବାରୁ ହେମନ୍ତ ସୋରେନ ଦିଲ୍ଲୀ ଗସ୍ତ ଓ ପ୍ରଧାନମନ୍ତ୍ରୀଙ୍କ ସହ ଭେଟଘାଟକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଜାରି ରହିଛି ।