ୟାସ୍ ପୂର୍ବାନୁମାନ ଓ ମୁକାବିଲା ରଣନୀତିରେ ମିଳିଲା ସଫଳତା : ଚର୍ଚ୍ଚାରେ ୩ ଓଡ଼ିଆ ଅଧିକାରୀ

455

କନକ ବ୍ୟୁରୋ : ଅତି ଭୀଷଣ ବାତ୍ୟା ଆକାରରେ ୟାସ, ଉତର ଓଡିଶା ଉପକୂଳ ଦେଇ ଚାଲିଯିବା ପରେ ଏବେ ୩ ଓଡିଆ ଅଧିକାରୀଙ୍କୁ ନେଇ ଚର୍ଚ୍ଚା । ବାତ୍ୟାକୁ ନେଇ ପୂର୍ବାନୁମାନଠାରୁ ଆରମ୍ଭ କରି ଏହାର ଗତିପଥ ଓ ପ୍ରଭାବ ସଂପର୍କରେ ବାରମ୍ବାର ସତର୍କ କରାଇ ଦେଇଥିଲା ଭାରତୀୟ ପାଣିପାଗ ବିଭାଗ । ଏହାର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ୟାସର ଗତିବିଧିକୁ ଦିନରାତି ନିରୀକ୍ଷଣ କରିବା ସହ ଗଣମାଧ୍ୟମକୁ ଏହାର ଟିକିନିଖି ସୂଚନା ଦେଉଥିଲେ ।

ସେହିପରି ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଂଟର ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ ଆଉ ଜଣେ ଓଡିଆ ଅଧିକାରୀ ରାଜେନ୍ଦ୍ର କୁମାର ଜେନାମଣି । ବିଭିନ୍ନ ବୈଜ୍ଞାନିକ ମଡେଲ ଆଧାରରେ ବାତ୍ୟାକୁ ନେଇ ପୂର୍ବାନୁମାନ ସହିତ ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ବିଶେଷ ଅବଦାନ ରହିଛି ଏହି ଓଡିଆ ଅଧିକାରୀମାନଙ୍କର । ସାଇକ୍ଲୋନ ମ୍ୟାନ ଭାବେ ପରିଚିତ ମୃତ୍ୟୁଞ୍ଜୟ ମହାପାତ୍ର ଏବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ । କୁହାଯାଉଛି ମୃତ୍ୟୁଞ୍ଜୟ ମହାପାତ୍ର ଆଜିଯାଏଁ ପ୍ରାୟ ଦେଢଶହ ବାତ୍ୟାର ପୂର୍ବାନୁମାନ କରିସାରିଛନ୍ତି । ବିଗତବର୍ଷ ଗୁଡିକରେ ଫାଇଲିନ, ହୁଡହୁଡ, ତିତଲି, ଫନି, ବୁଲବୁଲ ଓ ଅମ୍ଫାନ ଭଳି ବାତ୍ୟାର ସଠିକ ଆକଳନ କରିଥିଲେ ।

ସେହିଭଳି ଆଉଜଣେ ଓଡିଆ ଅଧକାରୀ ହେଉଛନ୍ତି, ଏନଡିଆରଏଫର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ । ବିଶେଷ କରି ବାତ୍ୟା ମୁକାବିଲା ପାଇଁ ଫୋର୍ସ ମୁତୟନ ରଣନୀତି ପ୍ରସ୍ତୁତ କରିବାରେ ତାଙ୍କର ଯୋଗଦାନ ରହିଛି । ବାତ୍ୟା ୟସର ମୁକାବିଲା ପାଇଁ ୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ୧୧୫ ଏନଡିଆରଏଫ ଫୋର୍ସକୁ ମୁତୟନ କରାଯାଇଛି । ବାତ୍ୟା ପରବର୍ତୀ ରିଲିଫ ଓ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି ଏହିସବୁ ଫୋର୍ସ ।