ପେସା ରିକ୍ସା ଚଳାଇବା, ନିଶା କବିତା ଲେଖିବା: କରୋନା କଟକଣା ଭିତରେ ବି କବିତା ଲେଖୁଛନ୍ତି କୈଳାସ; ହଜାର ହଜାର କବିତା ଲେଖି ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ନିକଟରୁ ହୋଇଛନ୍ତି ପ୍ରଶଂସିତ

184

କନକ ବ୍ୟୁରୋ: ପେଶା ରିକସା ଚଳାଇବା କିନ୍ତୁ ନିଶା କବିତା ଲେଖିବା । ଅଭାବ ଅସୁବିଧା ଭିତରେ ଦୀର୍ଘ ଦିନ ଧରି ସେ କବିତା ଲେଖିଚାଲିଛନ୍ତି । ୫ହଜାରରୁ ଉର୍ଦ୍ଧ କବିତା ଓ ଜଣାଣ ରଚନା କରି ରାଜ୍ୟର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ନିକଟରୁ ପ୍ରଶଂସିତ ହୋଇଛନ୍ତି । ଆମେ କହୁଛୁ ଯାଜପୁର କୋରେଇ ବ୍ଲକ କୋରୋବନ୍ଦି ଗାଁର କୈଳାସ ପାତ୍ରଙ୍କ କଥା । ଆଗକୁ ବିଭିନ୍ନ କବିତା ସଂକଳନ କରି ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାକୁ ସେ ପଣ କରିଛନ୍ତି ।

ସାହିତ୍ୟ ରଚନା କରିବା ନିଶା ଆଗରେ ହାରମାନିଛି ଦାରିଦ୍ର୍ୟତା । ପେଶା ସିନା ରିକସା ଚଳାଇବା ହେଲେ ନିଶା ସାହିତ୍ୟ ରଚନା କରିବା । ଏ ହେଉଛନ୍ତି କୋରାବନ୍ଦି ଗାଁର କୈଳାସ ପାତ୍ର । ନିଜର ୬ ପ୍ରାଣି କୁଟମ୍ବ କେବଳ ଏହି ରିକସା ଉପରେ ନିର୍ଭର କରନ୍ତି । ରିକସା ଚାଳନାରୁ ଯାହା କିଛି ମିଳେ ସେଥିରେ ପରିବାର ଚଳାଇବା କଷ୍ଟ । କିନ୍ତୁ ଏତେ କଷ୍ଟ ଭିତରେ ସାହିତ୍ୟ ରଚନା ପାଇଁ କେବେବି ଅଟକିଯାଇନି ତାଙ୍କ କଲମର ମୁନ । ଆଜିକୁ ୨୦ ବର୍ଷ ଧରି ନିରନ୍ତର କବିତା ଓ ଭଜନ ରଚନା କରିବାରେ ଲାଗିଛନ୍ତି । ପାଖ ସ୍କୁଲରେ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପାଠ ପଢ଼ାରେ ଡୋରୀ ବନ୍ଧା ହୋଇଥିଲା । କିନ୍ତୁ କୈଳାସ ରାଜ୍ୟର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନରେ କବିତା ପାଠ କରି ବେଶ ପ୍ରଶଂସା ସାଉଂଟିପାରିଛନ୍ତି । ଏଥିସହିତ ଆକାଶବାଣୀ ଓ ଦୂରଦର୍ଶନରେ ମଧ୍ୟ ନିଜର ସୃଜନଶକ୍ତିର ପରିପ୍ରକାଶ କରିଛନ୍ତି ।କୈଳାସଙ୍କ ଏଭଳି ଉଦ୍ୟମକୁ ପରିବାର ଲୋକେ ବେଶ ସହଯୋଗ କରିଛନ୍ତି ।

କୈଳାସ ରିକସା ଚଳାଇ ନିଜର ପରିବାରର ପେଟ ପୋଶୁଥିଲେ । କିନ୍ତୁ କୋରୋନା ପାଇଁ ଲକ ଡାଉନ ଯୋଗୁଁ ଏବେ ଘୋର ଆର୍ଥିକ ସଂକଟରେ ଗତି କରୁଛନ୍ତି । ନିଜର ଏକ କବିତା ସଂକଳନ ପ୍ରକାଶ କରିବା ପାଇଁ ଉଦ୍ୟମ କରିଥିଲେ ହେଁ ଆର୍ଥିକ ଅଭାବ ଯୋଗୁଁ ଏହା ଅଧାରେ ରହିଯାଇଛି । କୈଳାସ ଙ୍କ ଏହି ସପଂଳତା ପାଇଁ ନିଜ ଗ୍ରାମବାସୀ ଓ ପଡୋଶୀ ବେଶ ଗର୍ବ ଅନୁଭବ କରନ୍ତି । ଆଗାମୀ ଦିନରେ ଅଧିକରୁ ଅଧିକ ଶିଶୁ କବିତା ଓ ଭଜନ ରଚନା କରି ଓଡିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।