କରୋନା କଟକଣା : ଶିକ୍ଷକଙ୍କ ଚାଲିଗଲା ଚାକିରୀ, ଉପାୟଶୂନ୍ୟ ହୋଇ ଏବେ ନିତିଦିନ ଲାଗୁଛନ୍ତି ମୁଲ

3,023

କନକ ବ୍ୟୁରୋ : କରୋନା ଆସିଲା, ଅନେକ ଲୋକଙ୍କ ଜୀବିକା ବୁଡିଲା । ଦେଶରେ ପ୍ରତିଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମହାମାରୀ । ଆଉ ମହାମାରୀ ସହ ବଢିବାରେ ଲାଗିଛି ଲୋକଙ୍କ ଦୁର୍ଦ୍ଦଶା । କେବଳ ଦେଶରେ ନୁହେଁ ବରଂ ବିଦେଶରେ ବି ଏହି ସମାନ ଅବସ୍ଥା । ଅନେକଙ୍କ ଚାକିରୀ ବି ଚାଲିଗଲାଣି । ବିନା ଦରମାରେ ଘର ଚଳିବ କେମିତି? ପାଖରେ ଟଙ୍କା ନାହିଁ, ଭୋକରେ କାନ୍ଦିଲେଣି ପରିବାର । ଏମିତି କିଛି ଦୃଶ୍ୟ ବର୍ତମାନ ସମୟରେ ଚିନ୍ତାର କାରଣ ହୋଇଛି ।

ଶିକ୍ଷକଙ୍କ ଚାକିରୀ ନେଇଗଲା କରୋନା । ଦରମା ନାହିଁ, ପରିବାର ଚଳାଇବା ଚିନ୍ତା । ଉପାୟ ଶୂନ୍ୟ ହୋଇ ବାଧ୍ୟ ହୋଇ ମୁଲ ଲାଗୁଛନ୍ତି ଶିକ୍ଷକ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ୫୫ ବର୍ଷିୟ ପାଲେରୀ ନିଥଲ ବାବୁ । ୩୦ ବର୍ଷ ହେଲାଣି ପିଲାଙ୍କୁ ସେ ଇଂରାଜୀ ଶିକ୍ଷା ଦେଉଥିଲେ । କିନ୍ତୁ କରୋନା କଟକଣା ପାଇଁ ଏବେ ସ୍କୁଲ ବନ୍ଦ । ତେଣୁ ଦରମା ବି ମିଳୁନାହିଁ । ପରିବାର ପ୍ରତିପୋଷଣ ପାଇଁ ବାଧ୍ୟ ହୋଇ ଏବେ ଜଣେ ଠିକାଦାରଙ୍କ ପାଖରେ ଦିନମଜୁରିଆ ଭାବେ କାମ କରୁଛନ୍ତି ।

ତେବେ ଏମିତି କାମ କାହିଁକି କରୁଛନ୍ତି ପଚାରିବାରୁ ସେ କହନ୍ତି, ମୋର ପରିବାର ଅଛି, ସେମାନଙ୍କ ମୁହଁରେ ଆହାର ଦେବା ମୋର କର୍ତବ୍ୟ ଓ ଧର୍ମ । ବର୍ତମାନ ସମୟରେ ସବୁ ବନ୍ଦ, ଦରମା ମିଳୁନାହିଁ । ତେଣୁ ଦିନମଜୁରିଆ ଭାବରେ କାମ କରି ସେମାନଙ୍କ ମୁହଁରେ ଆହାର ଦେଉଛି । ଠିକାଦାରଙ୍କ ପାଖରେ ନିତିଦିନ ସକାଳ ୭ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାମ କରନ୍ତି । କାମ ବାବଦରେ ୭୫୦ ଟଙ୍କା ରୋଜଗାର ବି କରୁଛନ୍ତି । କିନ୍ତୁ ଦୁଃଖର କଥା ନିତିଦିନ କାମ ମିଳିବା କଷ୍ଟକର ହୋଇଯାଉଛି । କାମ କଲେ ପରିବାର ଲୋକଙ୍କ ମୁହଁରେ ଆହାର ଦେବି । ନଚେତ ଆହାର କେମିତି ଦେବି? ଏହାଛଡା ବ୍ୟାଙ୍କରୁ ଲୋନ ବି ଆଣିଛି ସେ ଟଙ୍କା କେମିତି ସୁଝିବି କୌଣସି ବୁଦ୍ଧିବାଟ ଦେଖାଯାଉନାହିଁ ବୋଲି ପାଲେଲୀ କହିଛନ୍ତି । ତେବେ କରୋନା ଦେଶରେ ଅନେକଙ୍କ ରୋଜଗାର ଛଡାଇ ନେଇଛି । କରୋନା ମାରିବା ପୂର୍ବରୁ ଭୋକ ହିଁ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇଯାଇପାରେ ବୋଲି ଅନେକ କହୁଛନ୍ତି ।