ଜିତିବାର ନିଶା ଓ ଆତ୍ମବିଶ୍ୱାସ ପାଇଁ ମଣିଷ ଯେକୌଣସି ଅସମ୍ଭବକୁ ସମ୍ଭବ କରିପାରେ। ଯାହା କରି ଦେଖାଇଛନ୍ତି ମୁମ୍ୱାଇର ନାଳାସୋପାରାରେ ରହୁଥିବା ୩୮ ବର୍ଷୀୟା ସୀମା ବର୍ମା । ଯାହାଙ୍କ ବ୍ୟକ୍ତିଗତ ଜୀବନ କୌଣସି ପ୍ରେରଣାଦାୟୀ ସଂଘର୍ଷର କାହାଣୀ ଠାରୁ କମ୍ ନୁହେଁ । ଜୀବନ ବଞ୍ଚାଇବା ପାଇଁ ଦିନେ ଘର ଘର ବୁଲି କାମ କରୁଥିଲେ ସୀମା । ସୀମାଙ୍କ ବୟସ ଥିଲା ମାତ୍ର ୮ ବର୍ଷ ,ତାଙ୍କ ପରିବାର କୋଲକାତାରୁ ମୁମ୍ୱାଇ ଚାଲିଆସିଥିଲେ । ୧୭ ବର୍ଷ ବୟସରେ ସୀମା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଭାଗ୍ୟର ବିଡମ୍ବନା ସୀମାଙ୍କ ମନର ମଣିଷଟି ମଦକୁ ଆପଣା କରି ସ୍ତ୍ରୀଙ୍କୁ ମାରପିଟ୍ କରିବା ଆରମ୍ଭ କରିଦେଇଥିଲେ । କୁନି ପୁଅର ମୁହଁକୁ ଚାହିଁ ସେ ପରଘରେ କାମ କରିବାକୁ ବାଧ୍ୟ ହେଲେ । କୁନି ପୁଅକୁ ଘରେ ଛାଡି ସେ କାମ ପାଇଁ ବାହାରି ଯାଉଥିଲେ । ୪ ବର୍ଷ ପରେ ମଦୁଆ ସ୍ୱାମୀଙ୍କୁ ଛାଡପତ୍ର ଦେଇ ସୀମା ପୁଅ ସହ ଅନ୍ୟତ୍ର ରହିଲେ । ଉଜ୍ଜଳ ଭବିଷ୍ୟତ ପାଇଁ ହଷ୍ଟେଲରେ ପୁଅକୁ ଛାଡିଲେ ଏବଂ ନିଜ ଇଚ୍ଛାକୁ ମଧ୍ୟ ନୂଆ ଆଶା ଦେଖାଇଲେ । କରାଟେ ପାଇଁ ଆଗ୍ରହୀ ଥିବା ସୀମା କରାଟେ କ୍ଲାସରେ ଯୋଗଦେଲେ । କାମ କରିବା ସହ ସେ କରାଟେ କ୍ଲାସ୍ ଯାଉଥିଲେ । କେବଳ ସେତିକି ନୁହେଁ ସେ କରାଟେ ସହିତ ଦୌଡ ଅଭ୍ୟାସ କରିବାକୁ ମଧ୍ୟ ମନ ବଳାଇଲେ । ସୀମା ଯେଉଁ ମହିଳାଙ୍କ ଘରେ କାମ କରୁଥିଲେ , ସେ ସୀମାଙ୍କର ଏ ଅଭ୍ୟାସ ବିଷୟରେ ଜାଣିବାକୁ ପାଇଲେ ଏବଂ ତାଙ୍କୁ ମାରାଥନ ଦୌଡ ବିଷୟରେ ଜଣାଇଲେ।
୨୦୧୨ ମସିହା କଥା । ସୀମା ପ୍ରଥମ କରି ଏକ ମାରାଥନରେ ଭାଗ ନେଇ ବିଜୟୀ ହେଲେ । କୌଣସି ଟ୍ରେନିଂ ନନେଇ ନିଜସ୍ୱ ଉଦ୍ୟମରେ ସେ ଏହି ସଫଳତା ହାସଲ କଲେ । ନିଜ ସଂଘର୍ଷକୁ ନେଇ ସେ କୁହନ୍ତି , ଯେବେ ମୁଁ ଦୌଡ ଶେଷ କରୁଥିଲି ଏହା ବାବଦରେ ମୋତେ ୨୦ ହଜାର ଟଙ୍କା ମିଳୁଥିଲା । ଏଥିରେ ପରିବାର ଚଳାଉଥିଲି । ଯେତେବେଳେ ମୁଁ ନିରାଶ ହୋଇଥାଏ ଦୌଡ଼ିବାକୁ ଚାଲିଯାଏ । ସେ କୁହନ୍ତି , କିଛି କରିଦେଖାଇବା ଅଦ୍ୟମ ଚେଷ୍ଟା ଓ ନିଷ୍ଠା ମଣିଷକୁ ସଫଳତାର ଶୀର୍ଷରେ ପହଁଚାଏ । ସୂଚନାନୁସାରେ, ୨୦୧୯ ମସିହାରେ ସୀମା ୧୪ ଟି ମାରାଥନ ଦୌଡ଼ିଲେ । ଜାନୁୟାରୀ ୨୦୨୦ ରେ ସେ ୪୨ କିଲୋମିଟରର ମାରାଥନ ଦୌଡ଼ିଲେ । ଏହି ଦୌଡ଼କୁ ସେ ୩ ଘଣ୍ଟା ୫୨ ମିନିଟ୍ ୫୮ ସେକେଣ୍ଡରେ ପୁରା କରିଥିଲେ । ସୂଚନାଯୋଗ୍ୟ, ମାରାଥନରେ ଏକ ନିର୍ଦ୍ଦିଷ୍ଟ ସମୟରେ ଯିଏ ଦୌଡ଼ ପୁରା କରେ ତାଙ୍କୁ ପୁରସ୍କୃତ କରାଯାଏ। ଏହି ପୁରସ୍କାର ମାରାଥନ ଆୟୋଜକ ସଂସ୍ଥା ହିଁ ସ୍ଥିର କରିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/03/page-run.jpg)
/kanak/media/post_attachments/wp-content/uploads/2020/03/11-2-300x300.jpg)
/kanak/media/post_attachments/wp-content/uploads/2020/03/xxxxxxx-222x300.jpg)