ଜୀବନ ସଂଘର୍ଷର ଉଦାହରଣ ସାଜିଲେ 'ସୁନିତା'। ଚାକିରି ନୁହେଁ ବଞ୍ଚିବାର ଏକମାତ୍ର ରାହା...

Advertisment
ଜୀବନ ସଂଘର୍ଷର ଉଦାହରଣ ସାଜିଲେ 'ସୁନିତା'। ଚାକିରି ନୁହେଁ ବଞ୍ଚିବାର ଏକମାତ୍ର ରାହା...

କନକ ବ୍ୟୁରୋ: ପରିବାର ପ୍ରତିପୋଷଣ ପାଇଁ ଚାକିରି ଏକମାତ୍ର ମାଧ୍ୟମ ନୁହେଁ। ଆତ୍ମନିର୍ଭରଶୀଳ ହେବା ପାଇଁ ଯେ କୌଣସି ବୃତ୍ତିକୁ ଅବଲମ୍ବନ କରାଯାଇପାରେ। ସମସ୍ତେ ଯଦି ଏଭଳି ମନୋବୃତ୍ତି ରଖି କାମ କରନ୍ତେ, ଦେଶରେ ବେକାରୀ ସମସ୍ୟା ରହନ୍ତା ନାହିଁ, ଦେଶରୁ ଗରିବି ବି ହଟିଯା’ନ୍ତା। ଏଭଳି ମତ ଦେଇଛନ୍ତି ଓଡ଼ିଶାର ପ୍ରଥମ ସ୍ନାତକ ଅଟୋ ଚାଳିକା ସୁନିତା।

publive-image

ପୁରୀ ମାର୍କଣ୍ଡେଶ୍ବର ସାହିର ତ୍ରିବେଦୀ ନଗରରେ ରହୁଥିବା ତ୍ରିନାଥ ନାୟକଙ୍କ ସାନ ଝିଅ ସୁନିତା। ସ୍କୁଲ ଶିକ୍ଷା ଶେଷ କରିବା ପରେ ବାହାର ରାଜ୍ୟରେ ଯୁକ୍ତ ଦୁଇ ଅଧ୍ୟୟନ କରିଥିଲେ। ତେବେ ଆର୍ଥିକ ଅନଟନ ଯୋଗୁଁ ନିୟମିତ କଲେଜରେ ପାଠ ପଢ଼ି ପାରି ନ ଥିଲେ। କଲେଜ ପଢ଼ା ଅଧାରେ ଛାଡ଼ିଥିଲେ ମଧ୍ୟ ପରେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟରୁ ହିନ୍ଦୀରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ତ୍ରିନାଥଙ୍କ ଚାରି ଝିଅ। ଆର୍ଥିକ ଅନଟନ ଭିତରେ ପରିବାର ଚଳିବା କଷ୍ଟକର ଥିଲା। ଏ ସବୁ ଭିତରେ ସାନ ଝିଅ ସୁନିତା ଅଧିକ ଉଚ୍ଚଶିକ୍ଷା ପାଇଁ ମନ ନ ବଳାଇ ଆତ୍ମନିର୍ଭରଶୀଳ ହେବା ପାଇଁ ମନ ବଳାଇଥିଲେ। କିଛି ଦିନ ପରେ ବାପାଙ୍କ ସହଯୋଗରେ ସେ ଏକ ବ୍ୟାଟେରି ଚାଳିତ ଅଟୋ ରିକ୍ସା କିଣିଥିଲେ। ଗତ ୯ ମାସ ହେଲା ସେ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଅଞ୍ଚଳରେ ଏହି ଅଟୋ ରିକ୍ସା ଚଳାଉଛନ୍ତି। ପୂର୍ବରୁ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନ ଥିଲା। ଏବେ ମୋଟର ଯାନ ଆଇନ ଲାଗୁ ହେବା ପରେ ସେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଗତକାଲି ସେ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷାରେ ପାସ୍ ମଧ୍ୟ କରିଥିଲେ। ତେବେ ଜଣେ ଉଚ୍ଚ ଶିକ୍ଷିତା ଝିଅ ଅଟୋ ଚଳାଉଥିବା ଦେଖି ଏମ୍ଭିଆଇ ଶ୍ରୀ ପଣ୍ଡା ତାଙ୍କୁ ଉତ୍ସାହିତ କରିଥିଲେ। ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ସହ ସୁନିତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସୁନିତାଙ୍କ ସଂପର୍କରେ ତୁରନ୍ତ ପରିବହନ କମିସନରଙ୍କୁ ମଧ୍ୟ ଜଣାଇଥିଲେ।

publive-image

ସୁନିତା କହିଛନ୍ତି, ପିଲାଟି ଦିନରୁ ଆତ୍ମନିର୍ଭରଶୀଳ ହୋଇ କାମ କରିବାକୁ ଇଚ୍ଛା ଥିଲା। ଅନ୍ୟମାନଙ୍କଠାରୁ କିଛି ଭିନ୍ନ କରି ଦେଖାଇବା ପାଇଁ ମନରେ ସଂକଳ୍ପ ଥିଲା। ସେଥିପାଇଁ ବ୍ୟାଟେରି ଚାଳିତ ଅଟୋ ରିକ୍ସା ଚଳାଇ ଆତ୍ମନିର୍ଭରଶୀଳ ହେବା ପାଇଁ ଇଚ୍ଛା କରିଥିଲି। ଏବେ ଲାଇସେନ୍ସ ବି ମିଳିଗଲା। ତେଣୁ ଆଉ ଅସୁବିଧା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe