ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦମ୍ ଦେଖିଲା ସାରାବିଶ୍ୱ । ୫ ସ୍ୱର୍ଣ୍ଣ ସହ ୧୯ ପଦକ ଜିତି ନୂଆ ରେକର୍ଡ କଲା ଭାରତ ।

246

କନକ ବ୍ୟୁରୋ : ପାରା ଅଲିମ୍ପିକ୍ସର ଶେଷ ଦିନରେ କମାଲ୍ କରିଛନ୍ତି ନୋଏଡାର କଲେକ୍ଟର ସୁହାସ ୟାଥିରାଜ । ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତି ଏହି ଆଇଏଏସ ଅଫିସର ସାରା ଦେଶର ପ୍ରେରଣା ବନିଯାଇଛନ୍ତି । ଶେଷ ଦିନରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଓ ରୌପ୍ୟ ପଦକ ଜିତି ଭାରତ ୧୯ଟି ମେଡାଲ ସହ ଟୋକିଓ ଅଭିଯାନ ଶେଷ କରିଛି ।

ନୋଏଡାର ଜିଲ୍ଲାପାଳ ସୁହାସ ୟାଥିରାଜ । ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଏହି ଆଇଏଏସ ଅଧିକାରୀ । ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲସ୍ ଏସଏଲ୍ ୪ ବର୍ଗରେ ଭାରତ ପାଇଁ ପଦକ ହାସଲ କରିଛନ୍ତି ସୁହାସ । ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ବିଶ୍ୱର ଏକ ନମ୍ବର ପ୍ରାପ୍ତ ଫ୍ରାନ୍ସର ଲୁକାର ମଜୁରଙ୍କ ଠାରୁ ହାରି ରୌପ୍ୟ ପଦକ ପାଇଛନ୍ତି । ରୌପ୍ୟ ପଦକ ଜିତିବା ପରେ ସୁହାସଙ୍କୁ ଫୋନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

ସୁହାସ ୟାଥିରାଜ ଜୀବନ ସଂଘର୍ଷର କାହାଣୀ, କୌଣସି ଚଳଚିତ୍ରର କାହାଣୀଠାରୁ କମ୍ ନୁହେଁ । କର୍ଣ୍ଣାଟକରେ ଜନ୍ମ ହୋଇଥିବା ସୁହାସ, କେବେ ଭାବି ନଥିଲେ, ଯେ କେବେ ମେଡାଲ ଜିତିବେ କିମ୍ବା କଲେକ୍ଟର ହେବେ । କିନ୍ତୁ ଭଗବାନଙ୍କ ଆର୍ଶୀବାଦରୁ ଆଜି ମେଡାଲ ଜିତିଥିବା କହିଛନ୍ତି ସୁହାସ । ମୋଦି ତାଙ୍କୁ ପ୍ରଶଂସା କରି କହିଥିଲେ, ଶାରିରୀକ ଅକ୍ଷମତାକୁ ସେ ନିଜ ଶକ୍ତିରେ ପରିବର୍ତ୍ତନ କରିଛନ୍ତି ।

ସେହିପରି ଶେଷଦିନରେ ଟୋକିଓରେ କମାଲ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି କ୍ରିଷ୍ଣା ନାଗର । ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ସିଙ୍ଗଲ୍ସ ଏସଏଚ୍ ୬ ଫାଇନାଲରେ ହଂକଂର ପ୍ରତିଦ୍ୱନ୍ଦୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ଏହି ବିଜୟ ସହ ପ୍ରମୋଦ ଭଗତଙ୍କ ପରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି ।

ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ମୋଟ ୧୯ଟି ମେଡାଲ । ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ପାଇଛି ଭାରତ । ଏବଂ ପଦକ ତାଲିକାରେ ୨୪ତମ ସ୍ଥାନରେ ରହିଛି । ୨୦୧୬ରେ ମାତ୍ର ୪ଟି ପଦକ ପାଇଥିଲା ଭାରତ । ପାରା ଅଲିମ୍ପିକ୍ସ ଇତିହାସରେ ଏହା ଦେଶର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ଶାରୀରିକ ଅକ୍ଷମତାକୁ ପଛରେ ପକାଇ ଏହି ଅଲମ୍ପିଆନମାନେ ଦେଶ ପାଇଁ ଗୌରବ ଆଣିଛନ୍ତି । ସୁଟିଂରେ ଅବନୀ ଲେଖାରା ପ୍ରଥମ ଭାରତୀୟ ମହିଳା ଭାବେ ଗୋଟିଏ ପାରା ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଅବନୀ । ସେହିପରି ସୁଟିଂରେ ମନୀଷ ସ୍ୱର୍ଣ୍ଣ ଓ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଓ କ୍ରିଷ୍ଣା ନାଗର ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଆଥଲେଟିକ୍ସରେ ଭାରତକୁ ମିଳିଛି ୮ଟି ପଦକ ।