ଯାହାର କେହି ନାହିଁ ତାର ମୁଁ ଅଛି… ଅସହାୟ, ବେସାହାରା ଲୋକଙ୍କ ସାହାରା ସାଜିଛନ୍ତି ଏନସିସି ସାର୍ । କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଉଛନ୍ତି, ଭୋକିଲାଙ୍କ ଭୋକ ବୁଝୁଛନ୍ତି । ବିପଦ ବେଳର ବନ୍ଧୁ ସାଜି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

167

କନକ ବ୍ୟୁରୋ : ସେବାର ସାକ୍ଷାତ ଦେବତା ଏନସିସି ସାର । ୫୩ ବର୍ଷୀୟ ଏହି ବ୍ୟକ୍ତି ହେଉଛନ୍ତି ଆସୋସିଏଟ୍ ଏନସିସି ଅଧିକାରୀ ଲେଫ୍ଟନାଂଟ ରେଗୀ ଜୋସେଫ । କରୋନା ସଙ୍କଟ ସମୟରେ ସେବାର ସେତୁ ସାଜି ଅସହାୟ, ବେସାହାରା ଲୋକଙ୍କର ସାହାରା ସାଜିଛନ୍ତି । କରୋନା ସହ ଲଢେଇ ଭିତରେ କେମିତି ନିଜର ଲୋକ ବି ପର କରିଦେଉଛନ୍ତି, ତାର ଅନେକ ଚିତ୍ର ଆମେ ଆପଣଙ୍କୁ ଦେଖାଇଛୁ । କିନ୍ତୁ ଏହି ଏନସିସି ସାରଙ୍କ କାହାଣୀ, ଆଜିର ସ୍ୱାର୍ଥପର ଦୁନିଆ ପାଇଁ ଏକ ବଡ ଉଦାହରଣ ।

କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ନିଜେ ହସ୍ପିଟାଲ ନେଇଯାଆନ୍ତି ଏହି ଏନସିସି ସାର । କେବଳ ସେତିକି ନୁହେଁ, ଅସୁବିଧାରେ ଥିବା ଲୋକଙ୍କ ପାଖରେ ଔଷଧ ପହଂଚାଇଦିଅନ୍ତି, ଆଉ ଭୋକରେ ଥିବା ଲୋକଙ୍କର ଭୋକ ବି ଦୂର କରନ୍ତି । ଆଉ ସବୁଠାରୁ ବଡ କଥା ହେଉଛି, କୋଭିଡ୍ ରୋଗୀଙ୍କ ଶରୀରକୁ କାନ୍ଧ ମିଳୁନଥିବା ବେଳେ, ଏହି ଏନସିସି ସାର ମୃତ କୋଭିଡ୍ ରୋଗୀଙ୍କ ଶବକୁ ଦାହ କରିଥାନ୍ତି ।

ନିଜ ପାଇଁ ଭାବିବା ତ ଦୂରର କଥା, ପରିବାରକୁ ପର କରି ଲୋକଙ୍କ ପାଇଁ ନିଜକୁ ସମର୍ପି ଦେଇଛନ୍ତି ଜୋସେଫ୍ ସାର୍ । ସେ କେବଳ ସେବାର ସାକ୍ଷାତ ଦେବତା ନୁହନ୍ତି, ଅସହାୟ ଲୋକଙ୍କ ପାଇଁ ବିପଦ ବେଳର ବନ୍ଧୁ ମଧ୍ୟ ସାଜିଛନ୍ତି । ତେବେ ଜୋସେଫ ସାର ଜଣେ ବୃଦ୍ଧାଙ୍କୁ ହସ୍ପିଟାଲରେ ଭର୍ତି କରାଇଥିଲେ । ସେଠାରେ ତାଙ୍କର ଟେଷ୍ଟ କରାଯିବାରୁ, ସେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । କିନ୍ତୁ ଭେଂଟିଲେଟରର ଅଭାବ ଥିବାରୁ ବୃଦ୍ଧାଙ୍କର ଜୀବନ ଚାଲିଯାଇଥିଲା ।

କରୋନା ସହ ବଡ଼ ଲଢେଇ ଭିତରେ, ବିଭିନ୍ନ ହସ୍ପିଟାଲରେ ବେଡର ଅଭାବ, ଅକ୍ସିଜେନର ଅଭାବ ଏବଂ ଭେଂଟିଲେଟରର ଅଭାବ ଥିବା ପରିଲକ୍ଷିତ ହେଉଛି । ଆଉ ଆଖି ସାମ୍ନାରେ ଭେଂଟିଲେଟରର ଅଭାବରୁ ବୃଦ୍ଧାଙ୍କର ମୃତ୍ୟୁ ଦେଖି ଜୋସେଫ୍ ସାରଙ୍କ ଆଖିରେ ଲୁହ ଆସିଥିଲା । ଆଉ ନିଜ ସଂଚିତ ଟଙ୍କାରୁ ସେ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ଦୁଇଟି ଭେଂଟିଲେଟର ଦାନ କରିଛନ୍ତି ।

କରୋନା ସହ ଲଢେଇ ଭିତରେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି । ରୋଗକୁ ଘୃଣା କରନ୍ତୁ, କିନ୍ତୁ ରୋଗୀକୁ ନୁହେଁ । ସମସ୍ତେ ସଚେତନ ହେଲେ କରୋନା ବିରୋଧୀ ଯୁଦ୍ଧରେ ଆମେ ନିଶ୍ଚିତ ବିଜୟୀ ହୋଇପାରିବା ।

Comments are closed.