ପ୍ରଶାସିନକ ସେବା ସାଙ୍ଗକୁ ନୃତ୍ୟର ତାଳ । ୬୦୦ରୁ ଅଧିକ ଷ୍ଟେଜ୍ ସୋ କରି ଚର୍ଚ୍ଚାରେ ମହିଳା ଆଇଏଏସ୍ ଅଫିସର ।

318

କନକ ବ୍ୟୁରୋ: ପେଶା ପ୍ରଶାସନିକ ସେବା, ହେଲେ ନିଶା ନୃତ୍ୟ । ପ୍ରଶାସନିକ ସେବାର ବ୍ୟସ୍ତତା ଭିତରୁ ବି ସମୟ ବାହାର କରି  ନୃତ୍ୟରେ ଲୋକଙ୍କ ମନ ମୋହିବାକୁ ଭୁଲନ୍ତି ନାହିଁ ଏହି ମହିଳା ଆଇଏଏସ୍ ।

ଆଇଏଏସ୍ କବିତା ରାମୁ । ଜଣେ ଦକ୍ଷ ପ୍ରଶାସିକା ଭାବେ ତାଙ୍କର ବେଶ୍ ଲୋକପ୍ରିୟତା ରହିଛି । ଏହା ବ୍ୟତୀତ ତାଙ୍କର ଆଉ ଏକ ଭିନ୍ନ ପରିଚୟ ମଧ୍ୟ ରହିଛି । କବିତା ହେଉଛନ୍ତି ଜଣେ ଭାରତନାଟ୍ୟମ୍ ନୃତ୍ୟାଙ୍ଗନା । ଏଯାଏଁ  ଦେଶବିଦେଶରେ ୬୦୦ରୁ ଅଧିକ ଷ୍ଟେଜ୍ ସୋ କରି ଲୋକଙ୍କ ମନଜିଣିସାରିଲେଣି ଆଇଏଏସ୍ କବିତା ରାମୁ ।

 ମାତ୍ର ୪ ବର୍ଷରୁ ନୃତ୍ୟ ପ୍ରେମରେ ପଡିଯାଇଥିଲେ କବିତା । ତାଙ୍କର ଏହି ନିଶାକୁ ପ୍ରୋତ୍ସାହନ ଦେଇଥିଲେ ତାଙ୍କ ମା’ । ମା’ଙ୍କର ପ୍ରୋତ୍ସାହନ ତାଙ୍କୁ ଦିଗ ବତେଇଦେଇଥିଲା । ଆଉ ନୃତ୍ୟରେ ଖୁବ୍ କମ ବୟସରେ ସେ ନିପୁଣା ହୋଇଯାଇଥିଲେ । ମାତ୍ର ୮ ବର୍ଷ ବୟସରେ କବିତା ବିଶ୍ୱ ତାମିଲ ସମ୍ମେଳନରେ ନୃତ୍ୟ ପରିବେଷଣ କରି ଅନେକ ପ୍ରଶଂସା ସାଉଁଟିଥି୍ଲେ । ଏହାପରେ ସେ ଦେଶ ବିଦେଶରେ ନିଜର ନୃତ୍ୟ କଳାକୁ ପରିବେଷିତ କରିଆସୁଛନ୍ତି । ଏଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ।

ହେଲେ ଜୀବନର ଆଉ ଏକ ଦିଗରେ ବି ସେ ବେଶ୍ ଦକ୍ଷ । ନୃତ୍ୟର ଉପାସନା ସହ ଜନ ସେବା ପାଇଁ ପିଲାବେଳୁ ଇଚ୍ଛୁକ ଥିଲେ କବିତା ରାମୁ । ଏଥିପାଇଁ ଦିଗଦର୍ଶକ ସାଜିଲେ ବାପା । ବାପା ଜଣେ ଆଇ,ଏସ୍ ଅଫିସର ଥିବାରୁ ସେ ମଧ୍ୟ ଜଣେ ଆଇଏଏସ୍ ହୋଇ ଲୋକ ସେବା କରିବାକୁ ମନ ବଳାଇଲେ ।ସେଥିପାଇଁ ଗ୍ରାଜୁଏସନ୍ରେ ଅର୍ଥନୀତି ରଖି ପଢିଲେ । ଏହାପରେ ସେଇ ଇକୋନୋମିକ୍ସ ରଖି ସ୍ନାତୋକତ୍ତର କରିବା ସହ ୟୁପିଏସସି ପାଇଁ ପ୍ରସ୍ତୁତି କଲେ । କଲଜରେ ଟପ୍ପର ହେବା ସହ ପରେ ପରେ ୟୁପିଏସି ମଧ୍ୟ କ୍ଲିଅର କଲେ ।

ତେବେ ପ୍ରଶାସନିକ ପରୀକ୍ଷାରେ ସେ ଦୁଇଥର ସଫଳ ହୋଇଛନ୍ତି । ୧୯୯୯ରେ ସେ ପ୍ରଥମେ ତାମିଲନାଡୁ ସିଭିଲ ସର୍ଭିସ୍ କ୍ଲିଅର କରିବା ପରେ ୨୦୦୨ରେ ଭାରତୀୟ ସିଭିଲ ସର୍ଭିସ୍ କ୍ଲିଅର କଲେ ।  ଏହି ସମୟରେ ତାଙ୍କ ପାଖକୁ ଆସୁଥିଲା ଷ୍ଟେଜ୍ ସୋ ପାଇଁ ଏକାଧିକ ଅନୁରୋଧ । ୟୁପିଏସସି ପରୀକ୍ଷା ଥାଇ ବି ସେ ନୃତ୍ୟକୁ ସମାନ ଗୁରୁତ୍ୱ ଦେଇଥିଲେ । ଆଉ ଦୁଇଟି କ୍ଷେତ୍ରରେ ସେ ସଫଳ ମଧ୍ୟ ହୋଇଛନ୍ତି । ପ୍ରଶାସନିକ ବୃତ୍ତି ତାଙ୍କୁ ଶୃଙ୍ଖଳା ଶିଖାଇଥିବାବେଳେ ନୃତ୍ୟ ତାଙ୍କୁ ମାନସିକ ଏକାଗ୍ରତା ଦେଇଥିବା କୁହନ୍ତି କବିତା ରାମୁ ।

ଏବେ କବିତା ରାମୁ  ଚେନ୍ନାଇର ଜିଲ୍ଲା ରେଭେନ୍ୟୁ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ ତାମିଲନାଡୁର ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମର ମହାପ୍ରବନ୍ଧକ ଓ ସଂଗ୍ରହାଳୟର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ବିଭାଗରେ ଯଦି କୌଣସି କାର୍ଯ୍ୟକ୍ରମ ହେଲେ ନୃତ୍ୟ ପାଇଁ କବିତାଙ୍କୁ ଖୋଜା ପଡେ । କବିତାଙ୍କ ନୃତ୍ୟ ଦେଖିବାକୁ ସମସ୍ତେ ଚାତକ ପରି ଚାହିଁଥାନ୍ତି । ତେବେ ଆଇଏଏସ୍ ଭଳି ଏକ ଗୁରୁଦାୟିତ୍ୱ ସହ ନୃତ୍ୟ କ୍ଷେତ୍ରରେ ଏପରି ସଫଳତା କବିତାଙ୍କୁ ଦେଇଛନ୍ତି ନିଆରା ଏକ ପରିଚୟ ଓ ପଶଂସା ।

 ବ୍ୟୁରୋ ରିପୋର୍ଟ- କନକ ନ୍ୟୁଜ୍