କନକ ବ୍ୟୁରୋ : ଚର୍ଚ୍ଚାରେ କଟକର ଜମାଟୋ ଗାର୍ଲ ବିଷ୍ଣୁପ୍ରିୟା ସ୍ୱାଇଁ । ବିଷ୍ଣୁପ୍ରିୟା ଏବେ ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ର୍ରେରଣା । ମାତ୍ର ୧୮ ବର୍ଷ ବୟସରେ ସେ ନିଜେ ପାଠ ପଢିବା ସହ ଜମାଟୋରେ ପାର୍ଟ ଟାଇମ କାମ କରି ପରିବାର ଚଳାଉଛନ୍ତି । ନିଜ ବାପାଙ୍କ ଗାଡିରେ ଖାଦ୍ୟ ଡେଲିଭରି କରି ସେ କଟକରେ ପ୍ରଶଂସା ସାଉଁଟିଛନ୍ତି ।
ଦେହରେ ଜମାଟୋ ସଂସ୍ଥାର ପୋଷାକ, କାନ୍ଧରେ ଖାଦ୍ୟ ଥିବା ବ୍ୟାଗ, ହାତରେ ବାଇକ । ପାଠ ପଢିବାକୁ କଟକ କାଠଗଡା ସାହିର ବିଷ୍ଣୁପ୍ରିୟା ସାଜିଛନ୍ତି ଜମାଟୋର ଫୁଡ ଡେଲିଭରି ଗର୍ଲ । କଟକରେ ଗଳିକୁ ଗଳି ବୁଲି ସେ ଖାଦ୍ୟ ଯୋଗାଇ ମାସକୁ ୭ରୁ ୮ ହଜାର ଟଙ୍କା ଆୟ କରୁଛନ୍ତି । ସେହି ଟଙ୍କାରେ ପରିବାରକୁ ସହାୟତା କରିବା ସହ ନିଜ ପଢା ଖର୍ଚ୍ଚ ମଧ୍ୟ ଉଠାଉଛନ୍ତି ।
ବାପା, ମା ଓ ସାନ ଭଉଣୀଙ୍କୁ ନେଇ ବିଷ୍ଣୁପ୍ରିୟାଙ୍କ ପରିବାର । ବାପା ଗାଡି ଚଳାଇ ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚାଲୁଥିଲା । କରୋନା କଟକଣା ଯୋଗୁଁ ବାପାଙ୍କ କାମ ବନ୍ଦ ହୋଇଯାଇଛି । ଫଳରେ ବିଷ୍ଣୁପ୍ରିୟାଙ୍କ ପାଠ ପଢା ଖର୍ଚ୍ଚ ସହ ଘର ଚଳିବା ଅସୁବିଧା ହେଲା । ସ୍ଥିତିକୁ ଦେଖି ଜମାଟୋରେ ଡେଲିଭରି ଗର୍ଲ ହେବା ପାଇଁ ପରିବାର ଲୋକଙ୍କୁ ମନାଇଥିଲେ ବିଷ୍ଣୁପ୍ରିୟା ।
ଜମାଟୋରେ କାମ କରିବା ପାଇଁ କୌଣସି ସମୟ ଧାର୍ଯ୍ୟ ନଥିବାରୁ ବିଷ୍ଣୁପ୍ରିୟା ଖାଲି ସମୟରେ ପଢାପଢି କରୁଛନ୍ତି । ଝିଅ ହୋଇ ମଧ୍ୟ ପୁରୁଷ ପ୍ରଧାନ ପେଷାରେ ସେ ଆରାମରେ କାମ କରିପାରୁଛନ୍ତି । ପ୍ରତିକୂଳ ପରିସ୍ଥିତି ଓ ପରିବାରର ଆର୍ଥିକ ସମସ୍ୟା ବିଷ୍ଣୁପ୍ରିୟାଙ୍କ ପାଠପଢିବା ସ୍ୱପ୍ନକୁ ଅଟକାଇ ପାରିନାହିଁ ।