ଗୋଡ଼ ଅକାମ ହେଲେ ବି ହାତ ସାଜିଛି ହତିଆର : ଉଦ୍ଦେଶ୍ୟ ଗୋଟିଏ କିଭଳି ହ୍ରଦରୁ ମିଟିବ ପ୍ଲାଷ୍ଟିକର ନାଁ , ପ୍ଲାଷ୍ଟିକ୍ ନାଶ ଅଭିଯାନରେ ୬ ବର୍ଷ ହେଲାଣି ଲାଗିପଡ଼ିଛନ୍ତି ଏହି ପକ୍ଷାଘାତ ରୋଗୀ ।

196

ପରିଶ୍ରମୀ ଲୋକ ସମୟ କି ସୁଯୋଗକୁ ଅପେକ୍ଷା କରେନାହିଁ । ସେ ଅହରହ ସଂଘର୍ଷ କରିଚାଲେ ଫଳ ଯାହା ହେଉ ନା କାହିଁକି କାମରେ କେବେ ହେଳା କରେନି … ଏବେ ସେ କାମ ବ୍ୟକ୍ତିଗତ ହେଉ କି ଦେଶର ହିତ ସକାଶେ । ପ୍ରଶାସନର ପ୍ରହେଳିକାକୁ ଅପେକ୍ଷା ନକରି ମଣିଷ ସ୍ୱୟଂ ଇଚ୍ଛାରେ ଦେଶକୁ ସ୍ୱଚ୍ଛତା ଆଡ଼କୁ ନେଇଗଲେ ତାଙ୍କୁ ଆପଣ କ’ଣ କହିବେ ? ସ୍ୱେଚ୍ଛାସେବୀ , ଦେଶଭକ୍ତ ନା ଆଉ କିଛି ! ହେଲେ ଯଦି ଆମେ ଆପଣଙ୍କୁ କହୁ ଜଣେ ପକ୍ଷାଘାତ ରୋଗୀ ଏଭଳି କାମ କରୁଛନ୍ତି ତେବେ ଆପଣଙ୍କ ଉତ୍ତର କ’ଣ ହେବ ? ନିହାତି ଆପଣ ଏହି ବ୍ୟକ୍ତିଜଣଙ୍କର କାମକୁ ସଲାମ୍ ନକରି ରହିପାରିବେନି ।

ନାଁ ତାଙ୍କର ଏନଏସ୍ ରାଜପ୍ପନ୍ , ବୟସ ପାଖାପାଖି ୬୯ ବର୍ଷ ହେବ । ଯିଏ ପକ୍ଷାଘାତ ରୋଗରେ ଦୀର୍ଘ ସମୟ ହେଲାଣି ପୀଡିତ ଅଛନ୍ତି । ହେଲେ ରୋଗ ତାଙ୍କ କାମକୁ ରୁଗଣ କରିଦେଇନି । ୬ ବର୍ଷ ହେଲାଣି ଏହି ବୃଦ୍ଧ ହ୍ରଦମାନଙ୍କରୁ ପ୍ଲାଷ୍ଟିକକୁ ସଫା କରିବାର ଅଭିଯାନ ଚଳାଇଛନ୍ତି । ଗୋଡ଼ ସିନା ପକ୍ଷାଘାତର ଶିକାର ହୋଇଛି ହେଲେ ହାତକୁ ହତିଆର କରିଛନ୍ତିି ଏହି ବୃଦ୍ଧ । ପ୍ଲାଷ୍ଟିକର ମୂଳୋତ୍ପାଟନ କରିବା ପାଇଁ ସେ ପ୍ରତିଦିନ ବାହାରିଯାନ୍ତି ୱେବନାଡ଼୍ ଏବଂ କୁମାରକୋମ ହ୍ରଦକୁ ।

ପ୍ରକୃତିକୁ ପ୍ରେୟସୀ କରିଥିବା ରାଜପ୍ପନଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବଲିଉଡ୍ ଅଭିନେତା ରଣଦୀପ୍ ହୁଡ୍ଡା । ନିଜ ଟ୍ୱିଟରରେ ସେ ଏହି ବୃଦ୍ଧଙ୍କ ଭିଡ଼ିଓ ସେୟାର୍ କରି କହିଛନ୍ତି , ପ୍ରେମ ସର୍ବଦା କାମରେ ଦେଖାଯାଏ , ସୋସିଆଲ୍ ମିଡ଼ିଆ କି ଶବ୍ଦରେ ଦେଖାଯାଏନାହିଁ । ରାଜପନ୍ନ ସାରଙ୍କ ଏଭଳି ନିଃସ୍ୱାର୍ଥପର କାର୍ଯ୍ୟ ଦେଶଭକ୍ତିର ପ୍ରକୃତ ପରିଚୟକୁ ବ୍ୟାଖ୍ୟା କରୁଛି । ତାଙ୍କୁ ମୋର ସଲାମ୍ । ଏହି ବୃଦ୍ଧଜଣକ ପ୍ଲାଷ୍ଟିକ୍ ଜମା କରିବା ପାଇଁ ପ୍ରତିଦିନ ଗୋଟିଏ ଡ଼ଙ୍ଗା ଭଡ଼ା କରି ହ୍ରଦକୁ ଚାଲିଯାନ୍ତି । ପ୍ଲାଷ୍ଟିକ ବୋତଲରୁ ଆରମ୍ଭ କରି ପଲିଥିନ୍ ପର୍ଯ୍ୟନ୍ତ ସେ ହ୍ରଦକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖନ୍ତିି ।

 

ଏନେଇ ରାଜପ୍ପନ୍ କୁହନ୍ତି ପ୍ଲାଷ୍ଟିକ୍ ଏକାଠି କଲେ ମୋତେ ଲାଭ ସେମିତି କିଛି ହୁଏନି କିନ୍ତୁ ମନକୁ ସନ୍ତୁଷ୍ଟି ମିଳେ । ହ୍ରଦରୁ ପ୍ଲାଷ୍ଟିକ୍ ସଫା କଲେ କିଲୋମିଟର ପିଛା ୧୨ ଟଙ୍କା ମିଳେ । ଏମିତିରେ ମୁଁ ଦିନରୁ ୧୦୦ ରୁ ୨୦୦ ଟଙ୍କା କମାଏ ଯାହା ଗୁଜୁରାଣ ମେଣ୍ଟାଇବା ପାଇଁ ହୋଇଯାଏ । ଆପଣଙ୍କୁ କହିରଖୁଛୁ ରାଜପ୍ପନଙ୍କର କେରଳରେ ଏକ ଭଙ୍ଗାଦଦରା ଘର ଅଛି ଯେଉଁଠାରେ ସେ ଏବେ ରହୁଛନ୍ତି । ପକ୍ଷାଘାତ ରୋଗୀ ରାଜପ୍ପନଙ୍କୁ ପଡ଼ୋଶୀ ଘର ତ କେତେବେଳେ ସଂପର୍କୀୟ ଭଉଣୀ କିଛି ଖାଇବାକୁ ଦେଇଦିଅନ୍ତି ।