ମିସୋରେ ଅର୍ଡର କରିଥିଲେ ଡ୍ରୋନ୍, ପ୍ୟାକେଟରୁ ବାହାରିଲା ଆଳୁ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ।

288

କନକ ବ୍ୟୁରୋ: ପାର୍ବଣ ଋତୁରେ ବିଭିନ୍ନ ଇ-କମର୍ସ କମ୍ପାନୀ ଅନେକ ଅଫର ପ୍ରଦାନ କରୁଛନ୍ତି । ବିଭିନ୍ନ ସାମଗ୍ରୀ ଉପରେ ରିହାତି ଦେଖି ଗ୍ରାହକ ବି ବେସ ଖୁସ । ତେବେ ଏହାରି ଭିତରେ ଗୋଟିଏ ଖବର ଆସିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଜଣେ ବ୍ୟକ୍ତି ଅର୍ଡର କରିଥିଲେ କିଛି, ଆଉ ତାଙ୍କ ପାଖରେ ପହଞ୍ଚିଥିଲା ଆଉ କିଛି । ମିସୋରେ ଜଣେ ଗ୍ରାହକ ଡ୍ରୋନ କ୍ୟାମେରା ଅର୍ଡର କରିଥିବା ବେଳେ ତାଙ୍କ ପାଖରେ ଆଳୁ ଭର୍ତ୍ତି ପ୍ୟାକେଟ ପହଞ୍ଚିଥିଲା । ସୋସିଆଲ ମିଡିଆରେ ଏହାର ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ସେହିଭଳି ନିକଟରେ ଫ୍ଲିପକାର୍ଟରୁ ଜଣେ ବ୍ୟକ୍ତି ଲାପଟପ୍ ଅର୍ଡର କରିଥିଲେ ତେବେ ତାଙ୍କୁ ଲୁଗାଧୋଇବା ସାବୁନର ପ୍ୟାକେଟ ମିଳିଥିଲା । ଏହି ଘଟଣାକୁ ମାତ୍ର କିଛିଟା ଦିନ ବିତିନଥିବା ବେଳେ ଏହିଭଳି ଘଟଣା ପୁଣି ସାମ୍ନାକୁ ଆସିଛି । ବିହାର ଜଣେ ବ୍ୟକ୍ତି ମିସୋ ଆପରେ ଡିଜେଆଇ ଡ୍ରୋନକୁ ଅନଲାଇନ ଅର୍ଡର କରିଥିଲେ । ଅର୍ଡର ମଧ୍ୟ ସଫଳ ହୋଇଥିଲା । ଯେଉଁ ତାରିଖରେ ଏହା ପହଞ୍ଚିବା କଥା ସେହି ତାରିଖରେ ମଧ୍ୟ ପହଞ୍ଚିଲା, ତେବେ ପ୍ୟାକେଟ ଖୋଲିବା ପରେ ସେଥିରୁ ଡ୍ରୋନ ବଦଳରେ ଏକ କିଲୋ ଓଜନର ଆଳୁ ମିଳିଥିଲା । ଗ୍ରାହକ ପ୍ୟାକେଟ ଖୋଲିବା ବେଳର ପୂରା ଭିଡିଓ କରିଥିଲେ ଏବଂ ଏହାକୁ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ବର୍ତ୍ତମାନ ଏହା ଭାଇରାଲ ହୋଇଚାଲିଛି ।