କନକ ବ୍ୟୁରୋ : ପ୍ରେମରେ ସବୁ ସମ୍ଭବ । ପ୍ରେମରେ ପଡିଗଲା ପରେ ନା ବୟସର ତାରତମ୍ୟ ନା ପରିବାରର ଉତ୍ତରଦାୟୀତ୍ୱ କିଛି ବି ଭାବିବାକୁ ଇଚ୍ଛା ହୁଏନି । କେବଳ ନିଜର ପ୍ରେମ । ହେଲେ ପ୍ରେମ ପାଇଁ ଯେ ଜଣେ ଝିଅ ନିଜ ବାପାଙ୍କୁ ହତ୍ୟା କରିବ ତାହା ଭାବିବା ସାଧାରଣ ଲୋକପକ୍ଷେ ସମ୍ଭବ ନୁହେଁ । ମାତ୍ର ଉତ୍ତର ପ୍ରଦେଶରୁ ଆସିଥିବା ଏକ ଖବର ଏବେ ଆପଣଙ୍କୁ ପୁଣିଥରେ ଆପଣଙ୍କ ପିଲାଛୁଆଙ୍କୁ ନେଇ ଭାବିବାକୁ ପଡିବ ।
ପଶ୍ଚିମ ଉତ୍ତର ପ୍ରଦେଶରୁ ଆସିଛି ଏଭଳି କିଛି ଘଟଣା । ଏଠାରେ ଜଣେ ଝିଅ ନିଜ ଘରର ଚାକର ପ୍ରେମରେ ପାଗେଳୀ ହୋଇ ନିଜ ବାପାଙ୍କୁ ହତ୍ୟା କରିଛି । କେବଳ ହତ୍ୟା କରିନି ହତ୍ୟା କରିବାର ୨ ଦିନ ପର୍ଯ୍ୟନ୍ତ ଶବକୁ ନିଜଘରେ ଲୁଚାଇ ରଖିଥିଲା । ଏହାପରେ ପ୍ରମାଣ ନଷ୍ଟ କରିବାକୁ ନଳକୂପ ତାଡି ତା ପାଖରେ ଗାତ ଖୋଳି ଶବକୁ ପୋତି ଦେଇଥିଲେ ।
ଏହି ଘଟଣା ମେରଠ ଥାନା ବ୍ରହସୁମାର ରାହବତୀ ଗାଁର । ସୂଚନା ମୁତାବକ ଏହି ଗାଁରେ ସତ୍ୟବାନଙ୍କ ଝିଅ ସିମରନ ନିଜ ଘରେ କାମ କରୁଥିବା ଜଣେ ଚାକରଙ୍କୁ ପ୍ରେମକରି ବସିଥିଲା । ଏହାପରେ ଚାକର ଆଶିଷ ଓ ସିମରନଙ୍କ ପ୍ରେମ କାହାଣୀ ସତ୍ୟବାନଙ୍କୁ ଜଣାପଡିବା ପରେ ସେ ଏହାକୁ ବିରୋଧ କରିଥିଲେ । ଏହାସହ ସିମରନଙ୍କୁ ମାରଧର ମଧ୍ୟ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସିମରନ ପିତା ସତ୍ୟବାନକୁ ହତ୍ୟା କରିବାକୁ ଯୋଜନା କରିଥିଲା । ଏହାପରେ ପ୍ରେମିକ ଆଶିଷ ଓ ପ୍ରେମିକା ସିମରନ ରାତିରେ ସତ୍ୟବାନ ଶୋଇଥିବା ବେଳେ ତାଙ୍କ ଗଳାଚିପି ହତ୍ୟା କରିଦେଇଥିଲେ ।
ସେପଟେ ସତ୍ୟବାନ କୁଆଡେ ପଳାଇଥିବା କଥା ଚାରିଆଡେ ଡେଙ୍ଗୁରା ପିଟିଥିଲେ ସିମରନ । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ପ୍ରଥମେ ସିମରନ ଓ ଆଶିଷକୁ ପଚରା ଉଚରା କରିଥିଲା । ପୋଲିସର ନାଲିଆଖି ଆଗରେ ସବୁ ସତ ଓଗାଳି ଦେଇଥିଲେ ସିମରନ । ଏବେ ପୋଲିସ ସତ୍ୟବାନଙ୍କ ଶବକୁ ନଳକୂପ ଗାତରୁ ବାହାର କରି ବ୍ୟବଛେଦ ପାଇଁ ପଠାଇବା ସହ ସିମରନ ଓ ଆଶିଷକୁ ଗିରଫ କରି ଜେଲକୁ ପଠାଇଦେଇଛି ।