କନକ ବ୍ୟୁରୋ: ଦେବଗଡ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗ୍ରାମରେ ମୀନା କିସାନ ହତ୍ୟା କାଣ୍ଡର ପର୍ଦଫାସ କଲା ପୁଲିସ । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ୨ ଯୋଡା ବାପ ପୁଅଙ୍କୁ ମିଶାଇ ମୋଟ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରିଆମାଳ ଥାନା ପୁଲିସ । ଅନୈତିକ ସର୍ମ୍ପକ ସନ୍ଦେହରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି ଏସପି ରାମ ପ୍ରସାଦ ସାହୁ ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗରଖୋଲ ଗ୍ରାମର ସୁବନ କିସାନଙ୍କ ଝିଅ ମୃତ ମୀନା କିସାନ କିଛି ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ବଳମ ଗ୍ରାମର ଦାଶରଥି କିସାନଙ୍କୁ ବିବାହ କରିଥିବା ବେଳେ ସେମାନଙ୍କ ଗୋଟିଏ ସନ୍ତାନ ମଧ୍ୟ ରହିଛି । ତେବେ ମୀନାଙ୍କ ଜଣେ ସମ୍ପର୍କୀୟ ପ୍ରମୋଦ କିସାନଙ୍କ ସହ ସମ୍ପର୍କ ଗଢ଼ିଉଠିଥିଲା । ଏହାସହ ମୀନା କିଛି ବର୍ଷ ପୂର୍ବେ ସ୍ୱାମୀ ଓ ସନ୍ତାନକୁ ଛାଡି ପ୍ରମୋଦଙ୍କ ସହ ଅନ୍ୟତ୍ର ରହିଆସୁଥିଲେ । ତେବେ ଅନ୍ୟ କିଛି ଯୁବକଙ୍କ ସହ ଫୋନରେ କଥା ହେବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ମୀନା ଶୋଇଥିବା ବେଳେ ୟପ୍ରେମିକ ପ୍ରମୋଦ ଏକ ଶାଲ ଯୋଗେ ତଂଟି ଚିପି ହତ୍ୟା କରିଥିଲା । ଏହାପରେ ପ୍ରମୋଦ ତାଙ୍କ ବାପା କେଶବ ଏବଂ ସମ୍ପର୍କୀୟ ଗୁରୁ ଚରଣ ଓ ତାଙ୍କ ପୁଅ ପ୍ରଦୀପଙ୍କ ସହ ମିଶି ମୃତଦେହକୁ ଗାତ ଖୋଳି ପୋତି ଦେଇଥିଲେ । ତେବେ ଗତ ୧ ତାରିଖରେ ଉକ୍ତ ଗାତରୁ ବିଲା କୁକୁର ମୃତଦେହ ଟାଣି ଖାଉଥିବା ଦେଖି ସ୍ଥାନୀୟ ସରପଞ୍ଚ ପୁଲିସକୁ ସୂଚନା ଦେଇଥିଲେ । ଏହାପରେ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା ।