କନକ ବ୍ୟୁରୋ : ମହାନଦୀର ଉପର ମୁଣ୍ଡ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ଏହା ମହାନଦୀ ଓ ଶାଖା ନଦୀରେ ଚଳିତବର୍ଷର ପ୍ରଥମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ସ୍ଥିତି ଏପରି ହୋଇଛି ଯେ, ଶନିବାର କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ନଦୀରେ ବନ୍ୟା ଆସିବ । ଏହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ କମିସନର ୪ ଜିଲ୍ଲାର ପ୍ରଶାସନ ଓ ବାସିନ୍ଦାଙ୍କୁ ସତର୍କ କରାଇଛନ୍ତି। ବଡ଼ ବନ୍ୟା ନହେଲେ ବି ନିମ୍ନ/ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି କରିବ ବୋଲି ଏସ୍ଆର୍ସି କହିଛନ୍ତି । ପୂର୍ଣ୍ଣିମା ଓ ପ୍ରବଳ ବର୍ଷା ସବୁ ଆକଳନ ବିଗାଡ଼ି ଦେବାର ଭୟ ମଧ୍ୟ ରହିଛି ।
ସୋମବାର ପୂର୍ଣ୍ଣିମା ଥିବାରୁ ସମୁଦ୍ର ପାଣି ଟାଣିବନି। ଶନିବାର ବନ୍ୟା ଆସିବା ପରେ ତିନିରୁ ଚାରିଦିନ ଅଧିକାଂଶ ସ୍ଥାନରେ ନଦୀ କୂଳ ଲଂଘିବ । ଏପରି ସ୍ଥିତିରେ ତଳିଆ ଅଞ୍ଚଳରେ ଘାଇ ସୃଷ୍ଟି ହୋଇପାରେ । ଅଧିକାଂଶ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାବେଳେ ଘଳିଆ ଓ ଘାଇ ପରିସ୍ଥିତିକୁ ଏଡ଼ାଇବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ହେଲେ ନଦୀରେ ଭରା ପାଣି ଥିବାବେଳେ ବର୍ଷା ଅଧିକ ବିପଦ ସୃଷ୍ଟି କରିବ। ସ୍ଥିତି ଅଣାୟତ୍ତ ହେବାର ଭୟ ଥିବାରୁ ଉପକୂଳ ଜିଲ୍ଲା ଗୁଡିକରେ ଓଡ୍ରାଫର ୩୦ଟି ଟିମ୍, ଏନ୍ଡିଆର୍ଏଫ୍ର ୧୨ଟି ଟିମ ଓ ଅଗ୍ନିଶମର ୧୦ଟି ଟିମ୍କୁ ମୁତୟନ କରାଯାଇଛି । ଜଳସମ୍ପଦ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ପ୍ରତି ଅଞ୍ଚଳ ପାଇଁ ଦାୟିତ୍ବ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଘଳିଆ ଘାଇ ପରିସ୍ଥିତି ମୁକାବିଲା ପାଇଁ ବାଲି ବସ୍ତା ଓ ଆବଶ୍ୟକ ସରଞ୍ଜାମ ରଖିବାକୁ କୁହାଯାଇଛି ।
ଏସ୍ଆର୍ସି ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇ କହିଛନ୍ତି ଯେ ଏବେ ମହାନଦୀରେ ସେକେଣ୍ଡ ପିଛା ୪,୯୯,୯୫୭କ୍ୟୁସେକ୍ ଜଳ ପ୍ରବେଶ କରୁଛି । ମହାନଦୀର ଉପରମୁଣ୍ଡ ତଥା ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ଅଧିକରୁ ଅଧିକ ପାଣି ପ୍ରବେଶ କରୁଛି । ଏବେ ହୀରାକୁଦର ୨୮ଟି ଗେଟ୍ ଖୋଲା ଯାଇଥିବା ବେଳେ ସେକେଣ୍ଡ ପିଛା ୪,୮୬,୮୯୨କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଏହି ପାଣି ଏବେ ସୁଦ୍ଧା ତଳମୁଣ୍ଡକୁ ଆସିନି। ମୁଣ୍ଡୁଳିରେ ଏବେ ୫,୫୪,୬୯୫କ୍ୟୁସେକ୍ ଜଳ ନିଷ୍କାସନ ହେଉଥିବା ବେଳେ ଶନିବାର ସକାଳ ସୁଦ୍ଧା ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କରିବ। ଏହାର ପ୍ରଭାବରେ ଶନିବାର ସଂଧ୍ୟାରେ ଏକ ନିମ୍ନ ମଧ୍ୟମ ଧରଣର ବନ୍ୟା ପାସ୍ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/3-26.jpg)