ଗ୍ୟାସ ଓ ଉଚ୍ଚ ରକ୍ତଚାପ ପରେ ଡାଇରିଆ ପାଇଁ ଖାଉଥିବା ମେଡିସନ୍ ବି ନକଲି: କଟକରୁ ପୁଣି ଜବତ ହେଲା ନକଲି ଓ-ଟୁ ଟାବଲେଟ୍

103

କନକ ବ୍ୟୁରୋ: କଟକରେ ପୁଣି ଧରାହେଲା ନକଲି ମେଡିସିନ । ନକଲି ମେଡିସିନ ଘଟଣାରେ ପୁରୀଘାଟ ଥାନାର ଚଢ଼ାଉ । କଟକ ଚୌଧୁରୀ ବଜାର ଠାରେ ଥିବା ଶ୍ରୀ ଡିଷ୍ଟ୍ରିବ୍ୟୁଟର ନାମକ ମେଡିସିନ୍ ଗୋଦାମରୁ ବିପୁଳ ପରିମାଣର ‘ଓ-୨’ ମେଡିସିନ୍ ଜବତ ହୋଇଛି । ସେପଟେ ପୋଲିସ ଡିଷ୍ଟ୍ରିବ୍ୟୁଟର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ନକଲି ମେଡିସିନର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର । ଟେଲମା-୪୦ ପରେ ଏବେ ‘ଓ-୨’ମେଡିସିନ୍ରେ ବି ନକଲି । ନାମୀ କମ୍ପାନୀର ଔଷଧ ଖୋଳରେ ବିକ୍ରି କରାଯାଉଥିଲା ନକଲି ଔଷଧ । ସୋମବାର ଚୌଧୁରୀ ବଜାରରୁ ଜବତ ହୋଇଥିଲା ନକଲି ‘ଓ-୨’ମେଡିସନ୍ । ଉକ୍ତ ଡଷ୍ଟ୍ରିବ୍ୟୁଟରର ମାଲିକ ବିଜୟ ଅଗ୍ରୱାଲଙ୍କୁ ସାଙ୍ଗରେ ଧରି ପୁରୀଘାଟ ଥାନା ଅଂଚଳରେ ଥିବା ବିଭିନ୍ନ ମେଡିସିନ ଦୋକାନରେ ଡ୍ରଗ୍ସ କଂଟ୍ରୋଲ ସ୍କ୍ୱାଡ୍ ଓ ସ୍ପେଶାଲ ଟାସ୍କ ପୋର୍ସ ପକ୍ଷରୁ ଚଢାଉ କରାଯାଇଛି । ଏନେଇ ପୋଲିସ କମିଶନରେଟ୍ ପୋଲିସ ମେଡିସିନ ଯାଂଚ କରିବା ସହ ଡିଷ୍ଟ୍ରିବ୍ୟୁଟର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଯାଂଚ ବେଳେ ମେଡିସିନ୍ ଦିଲ୍ଲୀ ଓ ମେରଟ୍ରୁ ଆସୁଥିବା ଜଣାପଡ଼ିଛି ।

ଜଣେ ମେଡିସିନ୍ ବିତରକ କିମ୍ବା ଦୋକାନୀ ଯଦି ବିଲରେ ଜିନିଷ କିଣିଛି, ସେ କେମିତି ଜାଣିବ କି ଏସବୁ ନକଲି ବୋଲି ପ୍ରଶ୍ନ କରିଛି କଟକ ଔଷଧ ବ୍ୟବସାୟୀ ସଂଘ । ଆଗକୁ ସଂଘ ନିଷ୍ପତି ବି ନେବ ରାଜ୍ୟ ବାହାରୁ କିଛି ଆଉ କିଛି ମେଡିସିନ କିଣାଯିବ ନା ନାହିଁ ବୋଲି କହିଛନ୍ତି ସଂଘ ସଭାପତି । ଅନ୍ୟପଟେ ଗୋଦାମ ମାଲିକ କହିଛନ୍ତି, ମେଡିସିନ ଯାହାବି କିଣାଯାଇଛି, ତା’ର ସଠିକ୍ ବିଲ୍ ଓ ଅନ୍ୟାନ୍ୟ କାଗଜପତ୍ର ରହିଛି । ଏହା ନକଲି ବୋଲି ଆମେ କେମିତି ଜାଣିବୁ ବୋଲି ପ୍ରଶ୍ନ କରିଛନ୍ତି ।

ପୂର୍ବରୁ ଉଚ୍ଚ ରକ୍ତଚାପ ଏବଂ ଗ୍ୟାସ୍ ନିୟନ୍ତ୍ରଣ ପାଇଁ ବ୍ୟବହୃତ ଔଷଧ ଜବତ ହୋଇଥିବା ବେଳେ ଏବେ ସାଧାରଣ ଝାଡ଼ା ରୋଗ ପାଇଁ ବ୍ୟବହୃତ ନକଲି ‘ଓ-୨’ ମେଡିସନ୍ ଜବତ ହେବା ପ୍ରଶାସନର ଚିନ୍ତା ବଢାଇଦେଇଛି । ଔଷଧ ସବୁକୁ ଡ୍ରଗ୍ସ କଂଟ୍ରୋଲ ବିଭାଗ ଜବତ କରି ଏହାର ନମୁନା ପରୀକ୍ଷା ପାଇଁ ଷ୍ଟେଟ୍ ଲାଇବ୍ରେରୀକୁ ପଠାଯାଇଛି ।